୧୦୦ତମ ଟି-୨୦ରେ ଟସ୍‌ ଜିତିଲେ ମୋର୍ଗାନ, ଦଳକୁ ଫେରିଲେ ରୋହିତ ଶର୍ମା

ଅହମଦାବାଦ: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ରେ ଟସ ଜିତିଛନ୍ତି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ। ସେ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଏହାର ଅର୍ଥ ତୃତୀୟ ଟି-୨୦ରେ ଟିମ୍‌ ଇଂଲଣ୍ଡ ପ୍ରଥମେ ବୋଲିଂ କରିବ। ପୂର୍ବ ଦୁଇ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ପରାସ୍ତ ହୋଇଛି। ଏହି ଧାରାକୁ ଦୃଷ୍ଟିରେ ରଖି ମୋର୍ଗାନ ଆଜି ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଟମ୍‌ କୁରାନଙ୍କ ବଦଳରେ ଦଳକୁ  ଫିଟମାର୍କ ଉଡ୍‌ କମବ୍ୟାକ୍‌ କରିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି।

ଗତ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳ ବେଞ୍ଚରେ ବସାଇଛି। ତାଙ୍କ ବଦଳରେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ରୋହିତ ପୂର୍ବ ଦୁଇଟି ଯାକ ଟି-୨୦ରେ ବିଶ୍ରାମ ନେଇଥିଲେ। ଆଜି ସେ କେଏଲ ରାହୁଲଙ୍କ ସହ ଇନିଂସ ଆରମ୍ଭ କରିବେ। ସେହିପରି ଦ୍ୱିତୀୟ ଟି-୨୦ରେ ଇନିଂସ୍‌ ଆରମ୍ଭ କରିଥିବା ଡେବ୍ୟୁଟାଣ୍ଟ ଈଶାନ କିଶନ ୩ନଂରେ ବ୍ୟାଟିଂ କରିବେ ବୋଲି ଟସ୍‌ ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦ୍ୱିତୀୟ ଟି-୨୦ରେ ସୂର୍ଯ୍ୟ କୁମାର ଯାଦବ ଡେବ୍ୟୁ କରିଥିଲେ ହେଁ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ତେବେ ତାଙ୍କୁ ଆଜି ଆଉଥରେ ସୁଯୋଗ ମିଳିନ ଥିବାରୁ ଫ୍ୟାନମାନେ ସୋଶାଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୧-୧ରେ ବରାବର ରହିଛି।

କରୋନା ସଂକ୍ରମଣ ଯୋଗୁ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ କୌଣସି ଦର୍ଶକଙ୍କୁ ଛଡ଼ା ଯାଇନାହିଁ। ଯେଉଁମାନେ ଟିକେଟ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ବିସିସିଆଇ କହି ସାରିଛି।

ଭାରତ: ଲୋକେଶ ରାହୁଲ୍, ରୋହିତ ଶର୍ମା, ଈଶାନ୍ କିଶନ, ବିରାଟ୍‌ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍‌।

ଇଂଲଣ୍ଡ: ଜେସନ୍ ରୟ, ଜୋସ୍ ବଟଲର, ଡେୱିଡ୍ ମଲାନ୍, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ସାମ୍ କୁରାନ୍, ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ୍, ଆଦିଲ୍ ରଶିଦ୍, ମାର୍କ ଉଡ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।