ଚେନ୍ନାଇର ଅଧିନାୟକ ପଦ ଛାଡ଼ିଲେ ଜାଡେଜା, ପୁଣି ଧୋନି କ୍ୟାପ୍ଟେନ

ଚେନ୍ନାଇ: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍‌ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଜାଡେଜାଙ୍କୁ ଚେନ୍ନାଇର କମାଣ ସମ୍ଭାଳିଥିଲେ। ହେଲେ ସିଜିନରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଚେନ୍ନାଇ ବାରମ୍ବାର ମ୍ୟାଚ୍‌ ହାରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି।

ଜାଡେଜା ମଧ୍ୟ ନିଜ ବୋଲିଂ କିମ୍ବା ବ୍ୟାଟିଂରେ ଆଦୌ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ଆଜି ଚେନ୍ନାଇର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଏଥିସହ ଧୋନିଙ୍କୁ ପୁଣି ଥରେ କ୍ୟାପ୍ଟେନ୍ସି ପଦ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି। ଧୋନି ବି ସମସ୍ତଙ୍କ ମତକୁ ସମ୍ମାନ ଜଣାଇ ଆଇପିଏଲ ଅଧାରୁ କ୍ୟାପ୍ଟେନ୍ସି କରିବେ ବୋଲି ରାଜି ହୋଇଛନ୍ତି। ଏ ସମ୍ପର୍କରେ ଆଜି ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଚେନ୍ନାଇ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ୬ଟିରେ ହାରିଛି।


ତେଣୁ ଦଳକୁ ଏପରି ଏକ ବିର୍ଯ୍ୟୟ ସ୍ଥିତିରୁ ଧୋନି କେମିତି ବାହାର କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ସିଏସକେ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଜାଡେଜା ନିଜ ଖେଳ ଉପରେ ଫୋକସ କରିବା ପାଇଁ ଅଧିନାୟକ ପଦ ପୁଣିଥରେ ଏମଏସ୍‌ ଧୋନିଙ୍କୁ ହସ୍ତାନ୍ତର କରିଛନ୍ତି। ଜାଡେଜା ନିଜେ ଧୋନିଙ୍କୁ ଅଧିନାୟକ ପଦ ପୁଣି ସମ୍ଭାଳିବାକୁ ଅନୁରୋଧ କରିଥିଲେ। ଧୋନି ମଧ୍ୟ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ୟାପ୍ଟେନ୍ସି ମଧ୍ୟ ସମ୍ଭାଳିବାକୁ ରାଜି ହୋଇଛନ୍ତି। ଏଥିସହ ଜାଡେଜାଙ୍କୁ ନିଜ ଖେଳ ଉପରେ ଫୋକସ କରିବାକୁ କହିଛନ୍ତି।”

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ ଥର ଆଇପିଏଲ ଟ୍ରଫି ଜିତିଛି। ୨୦୨୦ରେ ଧୋନି ନେତୃତ୍ୱରେ ଚେନ୍ନାଇ ଆଇପିଏଲ ଖେଳିଥିଲେ ମଧ୍ୟ ପ୍ଲେ ଅଫକୁ ଯାଇ ପାରି ନଥିଲା। ଏହି ସମୟରେ ଧୋନି ସମସ୍ତଙ୍କୁ ଦଳ ଜବରଦସ୍ତ କମବ୍ୟାକ କରିବ ବୋଲି କହିଥିଲେ। ସତକୁ ସତ ୨୦୨୧ରେ ଚେନ୍ନାଇ ଆଇପିଏଲ ଟ୍ରଫି ଜିତିଥିଲା।

ଚଳିତ ସିଜିନ ପୂର୍ବରୁ ହଠାତ୍‌ ଧୋନି ଅଧିନାୟକ ପଦ ଛାଡ଼ିବା ସହ ଜାଡେଜାଙ୍କୁ ଚେନ୍ନାଇ କମାଣ ଧରାଇଥିଲେ। ହେଲେ ସେ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଏଯାଏ ସେ ୯୨ଟି ବଲ୍‌ରେ ୧୧୨ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୨୧.୭ ରହିଛି। ସେହିପରି ୮ଟି ମ୍ୟାଚ୍‌ରେ ସେ କେବଳ ୫ଟି ୱିକେଟ ନେଇପାରିଛନ୍ତି। ତାଙ୍କ ଖେଳ ଦିନକୁ ଦିନ ଖରାପ ହେଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।