ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ କ୍ରିକେଟକୁ ଅଲବିଦା କହିଥିଲେ। ଧୋନି ସ୍ୱାଧୀନତା ଦିବସ ଅବସରରେ ଏହି ବଡ଼ ଘୋଷଣା କରିଥିଲେ। ଧୋନିଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସମସ୍ତଙ୍କୁ ଲାଗୁଥିଲା ଧୋନି ମଇଦାନରେ ହିଁ କ୍ରିକେଟକୁ ଗୁଡବାଏ କହିବେ ଏବଂ ବିସିସିଆଇ ତାଙ୍କୁ ଫେୟାରୱେଲ୍ ମ୍ୟାଚ୍ ଦେବ। ହେଲେ ଏହା ହେଲା ନାହିଁ ଏବଂ ଧୋନି ସନ୍ନ୍ୟାସ ଘୋଷଣା କରିଥିଲେ।
ଧୋନିଙ୍କ ସନ୍ନ୍ୟାସକୁ ନେଇ ପୂର୍ବତନ ସିଲେକ୍ଟର ଶରନଦୀପ ସିଂହ ବଡ଼ ଖୁଲାସା କରିଛନ୍ତି। ଶରନଦୀପ କହିଛନ୍ତି ଯେ ଚୟନକର୍ତ୍ତା ଧୋନିଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଚୟନ କରିଥାନ୍ତେ, କିନ୍ତୁ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଗଲା, ଯେଉଁକାରଣରୁ ଧୋନି ସନ୍ନ୍ୟାସ ନେବାକୁ ବାଧ୍ୟ ହେଲେ।
ଶରନଦୀପ ସିଂହ ଏକ ନ୍ୟୁଜ୍ ଚ୍ୟାନେଲ୍ ସହ କଥାବାର୍ତ୍ତାରେ କହିଛନ୍ତି, ‘ଯଦି ଗତ ବର୍ଷ ଟି-୨୦ ବିଶ୍ୱକପ୍ ହୋଇଥାନ୍ତା, ତାହେଲେ ଧୋନି ନିଶ୍ଚିତ ଖେଳିଥାନ୍ତେ।’ ତାଙ୍କୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଫେୟାରୱେଲ୍ ଦିଆଯାଇଥାନ୍ତା। ତେବେ ୨୦୧୯ ବିଶ୍ୱକପ୍ ପରାଜୟ ପରେ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା। ଧୋନିଙ୍କ ଷ୍ଟ୍ରାଇକ୍ ରେଟ୍ ଲଗାତର ଘଟୁଥିଲା, ଯାହା ପରେ ସେହି ସମୟରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଋଷଭ ପନ୍ତଙ୍କୁ ଅଧିକ ସୁଯୋଗ ଦେବା କଥା କହିଥିଲେ। ହେଲେ ଶରନଦୀପ ସିଂହ ଏବେବି ଦାବି କରିଛନ୍ତି ଯେ ଟି-୨୦ ବିଶ୍ୱକପରେ ଧୋନିଙ୍କୁ ସ୍ଥାନ ମିଳିଥାନ୍ତା।
ଶରନଦୀପଙ୍କ ଏହି ଖୁଲାସା ପରେ ସ୍ପଷ୍ଟ ହୋଇଛି ଯେ ଧୋନି ଟି-୨୦ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ ଏବଂ ସେ କ୍ରିକେଟ୍ ମଇଦାନରୁ ହିଁ ବିଦାୟ ନେବାକୁ ପସନ୍ଦ କରିଥାନ୍ତେ। କିନ୍ତୁ କରୋନା ସବୁ ବିଗାଡ଼ି ଦେଲା। ଗତ ବର୍ଷ ଟି-୨୦ ବିଶ୍ୱକପର ଆୟୋଜନ ଅଷ୍ଟ୍ରେଲିଆରେ ହେବାର ଥିଲା, କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ କରିଦିଆଗଲା। ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଏବେ ୨୦୨୨ରେ ହେବ।
ଧୋନି ୨୦୧୪ ମସିହାରେ ଟେଷ୍ଟ କ୍ରିକେଟକୁ ଅଲବିଦା କହି ଦେଇଥିଲେ ଏବଂ ୨୦୧୭ରେ ସେ କ୍ୟାପଟେନ୍ ପଦ ଛାଡ଼ିଥିଲେ। ଧୋନି ଏବେ କେବଳ ଆଇପିଏଲରେ ନଜର ଆସିବେ ଏବଂ କୁହାଯାଉଛି ଯେ ସେ ଖୁବଶୀଘ୍ର ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ଗୁଡବାଏ କହିପାରନ୍ତି।