ପୃଥ୍ୱୀ ଓ ତାରେଙ୍କ ବିସ୍ଫୋରକ ବ୍ୟାଟିଂ, ଚତୁର୍ଥ ଥର ଟ୍ରଫି ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ: ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଆଦିତ୍ୟ ତାରେଙ୍କ ଶତକ ଓ ଯୁବ ଓପ୍ନର ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ଇନିଂସ୍ ବଳରେ ମୁମ୍ବାଇ ଟିମ୍ ଚତୁର୍ଥଥର ଲାଗି ବିଜୟ ହଜାରେ ଟ୍ରଫି ଜିତିଛି। ରବିବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଉତ୍ତର ପ୍ରଦେଶକୁ ୬ ୱିକେଟରେ ଏହି ସଫଳତା ଅର୍ଜନ କରିଛି। ଏଥିସହ ମୁମ୍ବାଇ ଚତୁର୍ଥଥର ବିଜୟ ହଜାରେ ଟ୍ରଫି ଜିତି ଇତିହାସ ରଚିଛି। ଉକ୍ତ ମ୍ୟାଚରେ ଉତ୍ତର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ମାଧବ କୌଶିକଙ୍କ ଦମଦାର ଶତକୀୟ ଇନିଂସ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୨ ରନ୍ କରିଥିଲା। ଜବାବରେ ମୁମ୍ବାଇ ମାତ୍ର ୪୧.୩ ଓଭରରେ ୪ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା।

୩୧୩ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ସଲିଡ୍ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ପୃଥ୍ୱୀ ଓ ଯଶସ୍ୱୀ ଜୈସୱାଲ୍। ବିଶେଷକରି ଇନଫର୍ମ ପୃଥ୍ୱୀ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୩୯ ବଲରେ ୭୩ ରନର ଇନିଂସ୍ ଖେଳି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ପୃଥ୍ୱୀଙ୍କ ଇନିଂସରେ ୧୦ ଚୌକା ଓ ୪ ଛକା ରହିଥିଲା। ତାଙ୍କ ଓପନିଂ ପାର୍ଟନର ଜୈସୱାଲ୍ ୨୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ମିଡଲ୍ ଅର୍ଡରରେ ଆଦିତ୍ୟ ତାରେ ଅଭିଜ୍ଞତାର ଭରପୂର ଫାଇଦା ଉଠାଇ ଶତକ ମାରିଥିଲେ ଏବଂ ଟିମକୁ ବଲ୍ ବାକି ଥାଇ ଜିତାଇଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ତାରେ ୧୦୭ ବଲରେ ୧୮ ଚୌକା ସହ ୧୧୮ ରନ୍ କରି ଅପରାଜିତ ଥିଲେ। ଶାମ୍ସ ମୁଲାନୀ ୩୬, ଶିବମ ଦୁବେ ୨୮ ବଲରେ ୬ ଚୌକା ଓ ୧ ଛକା ସହ ଦ୍ରୁତ ୪୨ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତର ପ୍ରଦେଶ ପାଇଁ କୌଶିକ୍ ମାରାଥନ୍ ଇନିଂସ୍ ଖେଳିଥିଲେ। କୌଶିକ୍ ୧୫୬ ବଲରେ ୧୫ ଚୌକା ଓ ୪ ଛକା ସହ ୧୫୮ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମର୍ଥ ସିଂହ, ଅକ୍ଷଦୀପ ନାଥ ୫୫ (୪୦ ବଲ, ୪ ଚୌକା, ୩ ଛକା) ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ତନୁଶ କୋଟିଆନ୍ ୨ଟି ଓ ପ୍ରଶାନ୍ତ ସୋଲାଙ୍କି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।