ଅଦ୍ଭୁତ ରେକର୍ଡ, ମାତ୍ର ୪ ବଲରେ ମ୍ୟାଚ୍ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟରେ ରେକର୍ଡ ହେବା କିଛି ନୂଆ କଥା ନୁହେଁ। ତେଣିକି ତାହା ଅନ୍ତର୍ଜାତୀୟ ହେଉ କି ଘରୋଇ କ୍ରିକେଟ୍। ବିସିସିଆଇ ପକ୍ଷରୁ ଚାଲିଥିବା ସିନିୟର ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ନାଗାଲାଣ୍ଡ ଟିମ୍ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏଲିଟ୍ ଗ୍ରୁପ୍-୩ର ଏକ ମୁକାବିଲରେ ମୁମ୍ବାଇ ଟିମ୍ ମାତ୍ର ୪ ବଲରେ ନାଗାଲାଣ୍ଡକୁ ହରାଇ ରେକର୍ଡ ସ୍ଥାପନ କରିଛି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ ଟିମ୍ ମାତ୍ର ୧୬ ବଲରେ ନାଗାଲାଣ୍ଡ ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟକୁ ହାସଲ କରି ମ୍ୟାଚ୍ ଜିତି ନେଇଥିଲା।

ଆଜି ମୁମ୍ବାଇ ବିପକ୍ଷ ଏହି ମୁକାବିଲରେ ନାଗାଲାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୭.୪ ଓଭରରେ ମାତ୍ର ୧୭ ରନ୍ କରି ଅଲଆଉଟ୍ ହୋଇଥିଲା। ନାଗାଲାଣ୍ଡ ତରଫରୁ ପ୍ରଥମ ଚାରିଜଣ ବ୍ୟାଟ୍ସୱିମେନ୍ ଖାତା ଖୋଲିପାରିନଥିଲ। ଏହି ମ୍ୟାଚରେ ମୁମ୍ବାଇର ବୋଲର ନାଗାଲାଣ୍ଡର ୬ ଜଣ ବ୍ୟାଟ୍ସୱିମେନଙ୍କୁ ଶୂନରେ ଆଉଟ୍ କରିଥିଲେ। ମୁମ୍ବାଇ ବୋଲରଙ୍କ ଆଗରେ ନାଗାଲାଣ୍ଡର କୌଣସି ଖେଳାଳି ତିଷ୍ଠିପାରିନଥିଲେ। ନାଗାଲାଣ୍ଡ ପକ୍ଷରୁ ଏକମାତ୍ର ଖେଳାଳି ଭାବେ ସରିବା ସର୍ବାଧିକ ୯ ରନ୍ କରିଥିଲେ।

ମୁମ୍ବାଇ ପକ୍ଷରୁ ବୋଲିଂରେ କ୍ୟାପଟେନ୍ ସୟାଲୀ ସତଘରେ ୮.୫ ଓଭରରେ ୫ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ। ସେହିପରି ଏମ୍ ଦକ୍ଷିଣୀ ୨ଟି ଓ ଏସ୍ ଠାକୋର ଗୋଟିଏ ୱିକେଟ୍ ନେଇଥିଲେ। ମାତ୍ର ୧୮ ରନର ବିଜୟଲକ୍ଷ୍ୟକୁ ମୁମ୍ବାଇ ପ୍ରଥମ ଓଭରର ୪ଟି ବଲରେ ହାସଲ କରି ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଥିଲା। ମୁମ୍ବାଇ ପକ୍ଷରୁ ଇଶା ଓଜା ୪ ବଲରେ ୩ ଚୌକା ସହ ୧୩ ଓ ବୃଶାଲୀ ଗୋଟିଏ ବଲରେ ୧ ଛକା ସହ ୬ ରନ୍ କରିଥିଲେ। ଏହାରି ଭିତରେ ଗୋଟିଏ ନୋ’ ବଲ୍ ମଧ୍ୟ ସାମିଲ୍ ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।