ବଟଲରଙ୍କ ୬୭, ରାଜସ୍ଥାନକୁ ୧୫୮ ରନ୍‌ରେ ରୋକିଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ତାରକା ଖଚିତ ରାଜସ୍ଥାନକୁ ରୟାଲ୍ସକୁ ୧୫୮ ରନରେ ଅଟକାଇଛି। ରାଜସ୍ଥାନ ଜୋଶ ବଟଲଙ୍କର ୬୭ ରନ ବଳରେ ୬ ୱିକେଟ ହରାଇ ୧୫୮ ରନ୍‌ କରିପାରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୫୯ ରନ୍‌ର ଲକ୍ଷ୍ୟ ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ଦୁଇ ଓପନର ଦେବଦତ୍ତ ପାଡିକ୍କଲ ଓ ଜୋଶ ବଟଲର ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ଉଭୟ ୪.୨ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୨୬ ରନ୍‌ରେ ପହଞ୍ଚାଇଥିଲେ। ଏହି ସୟମରେ ୧୫ ରନ୍‌ କରିଥିବା ପାଡିକ୍କଲଙ୍କୁ ଆଉଟ କରି ହ୍ରିତିକ ଶୋକୀନ ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ।

ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌କୁ ଆସିବା କ୍ଷଣି ବଡ଼ବଡ଼ ଶଟ ଖେଳିଥିଲେ। ହେଲେ ସେ ମାତ୍ର ୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଚଳିତ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କୁମାର କାର୍ତ୍ତିକେୟ ସିଂହ ନେଇଥିଲେ।

ଡାରିୟଲ ମିଚେଲ(୧୭) ମଧ୍ୟ ବେଶୀ କିଛି କରିପାରି ନଥିଲେ। ସେ ସାମ୍ସଙ୍କ ବଲରେ ଆଉଟ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ବଟଲର ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ସେ ଚଳିତ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ହ୍ରିତିକଙ୍କ ଗୋଟିଏ ଓଭରରେ ସେ ଲଗାତର ୪ଟି ଛକା ମାରି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। କିନ୍ତୁ ସେହି ଓଭର୍‌ର ଶେଷ ବଲ୍‌ରେ ତାଙ୍କୁ ହ୍ରିତିକ ଆଉଟ କରି ବଦଲା ନେଇଥିଲେ।

୫୨ ବଲ୍‌ରେ ୬୭ ରନ୍‌ର ଇନିଂସ ଖେଳିଥିବା ବଟଲର ୫ଟି ଚୌକା ଓ ୪ଟି ବିଶାଳ ଛକା ମାରିଛନ୍ତି। ସେ ଆଉଟ ହେବା ପରେ ରାଜସ୍ଥାନର ରନ ହାର ସାମାନ୍ୟ ଧିମା ହୋଇଯାଇଥିଲା। ରବି ଚନ୍ଦ୍ରନ ଅଶ୍ୱିନ ଗୋଟି ଛକା ଓ ୩ଟି ଚୌକା ମାରିବାରୁ ରାଜସ୍ଥାନର ସ୍କୋର ୧୫୦ ପାର ହୋଇଥିଲା। ରାଜସ୍ଥାନ ଶେଷ ଓଭର୍‌ରେ ଆଦୌ ଭଲ ବ୍ୟାଟିଂ କରିପାରି ନାହିଁ।

ହେଟମେୟର କ୍ରିଜ୍‌ରେ ଥିଲେ ହେଁ ସେ ରିଲେ ମେରେଡିଥଙ୍କୁ ଆଦୌ ବୁଝି ପାରି ନଥିଲେ। ପ୍ରଥମ ବଲରେ ମେରେଡିଥ ୯ ବଲରେ ୨୧ ରନ୍‌ କରିଥିବା ଅଶ୍ୱିନଙ୍କ ୱିକେଟ ନେଇଥିଲେ। ଏହାର ପର ବଲରେ ଟ୍ରେଣ୍ଟ ବୋଲ୍ଟ ୧ ରନ୍‌ ହାସଲ କରି ହେଟମେୟରଙ୍କୁ ଷ୍ଟ୍ରାଇକ ଦେଇଥିଲେ। କିନ୍ତୁ ସେ ୪ଟି ବଲ ଖେଳିଥିଲେ ମଧ୍ୟ କେବଳ ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହି ୨ ରନ୍‌ ମଧ୍ୟରୁ ଗୋଟିଏ ୱାଇଡ ମଧ୍ୟ ରହିଛି। ଶେଷରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୮ ରନ୍‌ କରିପାରିଛି।  ହେଟମେୟର ୧୪ ବଲରେ କେବଳ ୬ ରନ୍‌ କରିଛନ୍ତି।

ମୁମ୍ବାଇ ପକ୍ଷରୁ ହ୍ରିତିକ ଓ ମେରେଡିଥ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ କୁମାର ଓ ସାମ୍ସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।