ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ଉତ୍ତର ପ୍ରଦେଶ ଫାଇନାଲ୍

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫି ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତ୍ତର ପ୍ରଦେଶ। ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶ ୫ ୱିକେଟରେ ଗୁଜରାଟକୁ ହରାଇଥିବା ବେଳେ ଦ୍ୱିତୀୟ ସେମିରେ ମୁମ୍ବାଇ ୭୨ ରନରେ କର୍ଣ୍ଣାଟକକୁ ହରାଇ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ ଫାଇନାଲ୍ ମୁକାବିଲା ଖେଳାଯିବ।

ପ୍ରଥମ ସେମିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪୮.୧ ଓଭରରେ ୧୮୪ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହେତ୍ ପଟେଲ୍ ସର୍ବାଧିକ ୬୦, ପୀୟୂଷ ଚାୱଲା ୩୨, ଧ୍ରୁବ ରାଭାଲ୍ ୨୩ ଓ ତେଜସ୍ ପଟେଲ ୧୩ ରନ୍ କରିଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ୟଶ ଦୟାଲ ୩ଟି ୱିକେଟ୍ ପାଇଥିବା ବେଳେ ଆକିବ୍ ଖାନ୍ ୨ଟି ୱିକେଟ୍ ନେଇଥିଲେ। ୧୮୫ ରନର ବିଜୟଲକ୍ଷ୍ୟକୁ ଉତ୍ତର ପ୍ରଦେଶ ୪୨.୪ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା। ଅକ୍ଷଦୀପ ନାଥ ସର୍ବାଧିକ ୭୧ (୧୦୪ ବଲ୍, ୮ ଚୌକା) ରନ୍ କରିଥିବା ବେଳେ କ୍ୟାପଟେନ୍ କରନ୍ ଶର୍ମା ୩୮ ଓ ଉପେନ୍ଦ୍ର ଯାବଦ ଅପରାଜିତ ୩୧ ରନ୍ କରିଥିଲେ।

ସେହିପରି ଦ୍ୱିତୀୟ ସେମିଫାଇନାଲରେ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ଶତକୀୟ ବଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୩୨୨ ରନ୍ କରି ଅଲଆଉଟ୍ ହୋଇଥିଲା। ପୃଥ୍ୱୀ ୧୨୨ ବଲରେ ୧୭ ଚୌକା ଓ ୭ ଛକା ସହ ୧୬୫ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାମ୍ସ ମୁଲାନୀ ୪୫ ରନ୍, ଶିବମ୍ ଦୁବେ ୨୭ ଅମନ୍ ହାକିମ୍ ଖାନ୍ ୨୫ ଓ ଆଦିତ୍ୟ ତାରେ ୧୬ ରନ୍ କରିଛନ୍ତି। କର୍ଣ୍ଣାଟକ ପକ୍ଷରୁ ବିଜୟ କୁମାର ୪ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ୍ ନେଇଛନ୍ତି।

ଜବାବରେ କର୍ଣ୍ଣାଟକ ୪୨.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୦ ରନ୍ କରି ପରାସ୍ତ ହୋଇଛି। କର୍ଣ୍ଣାଟକ ପକ୍ଷରୁ ଦେବଦତ୍ତ ପାଡିକଲ୍ ୬୪, ବିଆର୍ ଶରତ ୬୧ (୩୯ ବଲ୍, ୮ ଚୌକା, ୨ ଛକା), ଶ୍ରେୟସ୍ ଗୋପାଳ ୩୩, କରୁନ୍ ନାୟର୍ ୨୯ ଓ କ୍ରିଷ୍ଣାପ୍ପା ଗୌତମ ୨୮ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ତୁଷାର ଦେଶପାଣ୍ଡ, ତନୁଶ କୋଟିଆନ୍, ପ୍ରଶାନ୍ତ ସୋଲାଙ୍କି ଓ ଶାମ୍ସ ମୁଲାନୀ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।