‘ଏକ୍ସ ଫ୍ୟାକ୍ଟର’ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ସ୍କ୍ୱାଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଚୟନକର୍ତ୍ତାମାନେ ନୂଆ ମୁହଁ ଭାବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରିଛନ୍ତି। ୨୫ ବର୍ଷୀୟ କ୍ରିଷ୍ଣା ଭାରତୀୟ ଦ୍ରୁତ ବୋଲର ବାହିନୀରେ ‘ଏକ୍ସ ପ୍ୟାକ୍ଟର’ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ତାଙ୍କ ପାଖରେ ପେସ୍‌ ଥିବା ବେଳେ ଆଇପିଏଲ ଖେଳିବାର ଅଭିଜ୍ଞତା ରହିଛି। ବେଙ୍ଗାଲୁରୁର ଏହି ଦ୍ରୁତ ବୋଲରଙ୍କ ଜଣଙ୍କ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି ନିଜର ଜଲୱା ଦେଖାସାରିଛନ୍ତି। ବଡ଼ବଡ଼ ବ୍ୟାଟସମ୍ୟାନଙ୍କୁ ସେ ଅନେକ ଥର ନିଜ ପେସ୍‌ ଓ ଲାଇନରେ ଅଡ଼ୁଆରେ ପକାଇଛନ୍ତି।

ପ୍ରସିଦ୍ଧ କ୍ରିଷ୍ଣା ୨୦୧୮ ଆଇପିଏଲରେ କେକଆରକୁ ଆସିଥିଲେ। କିନ୍ତୁ ଏହା ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେଟ୍ସ ବୋଲର ଭାବେ ବୋଲିଂ କରୁଥିଲେ। କ୍ରିଷ୍ଣା ୯ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୩୪ଟି ୱିକେଟ ନେଇଛନ୍ତି। ସେ ୨୦.୨୬ ହାରରେ ବୋଲିଂ କରି ଗୋଟିଏ ଥର ୫ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି।

୨୦୧୮ରୁ କେକେଆର ସହ ଥିବା ପ୍ରସିଦ୍ଧ କ୍ରିଷ୍ଣା ଏଯାଏ ୨୪ଟି ଆଇପିଏଲ ମ୍ୟାଚ୍‌ ଖେଳି ୧୮ଟି ୱିକେଟ ନେଇଛନ୍ତି। ସୀମିତ ଓଭର କ୍ରିକେଟରେ ତାଙ୍କର ଦବଦବା ବେଶ ରହିଛି। ସେ ୪୮ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳି ୨୩.୦୭ ହାରରେ ୮୧ଟି ୱିକେଟ ଦଖଲ କରିଛନ୍ତି। ସେହିପରି ୪୦ଟି ଟି-୨୦ ମ୍ୟାଚ୍‌ରେ ପ୍ରସିଦ୍ଧଙ୍କ ନାଁରେ ୩୩ଟି ୱିକେଟ ରହିଛି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଥରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। ସୀମିତ ଓଭର କ୍ରିକେଟରେ ସେ ଭାରତ ପାଇଁ ‘ଏକ୍ସ ପ୍ୟାକ୍ଟର’ ହୋଇପାରନ୍ତି ବୋଲି ବିରାଟ ସେତେବେଳେ କହିଥିଲେ। ଏବେ ସେହି ଏକ୍ସ ପ୍ୟାକ୍ଟରକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି। କ୍ରିଷ୍ଣାଙ୍କ ସହ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲିଂ ୟୁନିଟରେ ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନ ରହିଛନ୍ତି।

ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କୁ ପ୍ରଥମଥର ପାଇଁ ସୁଯୋଗ ମିଳିଛି। ସେମାନେ ହେଲେ ସୂର୍ଯ୍ୟ କୁମାର ଯାଦବ ଓ କୃନାଲ ପାଣ୍ଡ୍ୟା। କୃନାଲ ଟି-୨୦ରେ ଅନେକ ଥର ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ହେଲେ ତାଙ୍କୁ କେବେ ହେଲେ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇ ନଥିଲା। ହେଲେ ସବୁ ଅପେକ୍ଷା ଅନ୍ତ ଘଟିଛି।

ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଇଂଲଣ୍ଡ ବିପକ୍ଷ ୪ର୍ଥ ଟି-୨୦ରେ ନିଜର ଜଲୱା ଦେଖାଇଥିଲେ। ସେ ଗତକାଲି ମ୍ୟାଚ୍‌ରେ ମାତ୍ର ୩୧ଟି ବଲ୍‌ରେ ୫୭ ରନ୍‌ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ସ୍ଥାନ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।