ପୁଣି ଗର୍ଜିଲା ପୃଥ୍ୱୀଙ୍କ ବ୍ୟାଟ୍, ଖେଳିଲେ ୧୬୫ ରନ୍‌ର ବିସ୍ଫୋରକ ଇନିଂସ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ଜବରଦସ୍ତ ଫର୍ମ ଦେଖାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’। ବିଶେଷକରି ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ପୃଥ୍ୱୀଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷୁଛି। ଆଜି ମଧ୍ୟ କର୍ଣ୍ଣାଟକ ବିପକ୍ଷ ସେମିଫାଇନାଲ୍ ମୁକାବିଲାରେ ପୃଥ୍ୱୀ ଧମାକା କରିଛନ୍ତି। ଓପ୍ନର ଯଶସ୍ୱୀ ଜୈସୱାଲ(୬)ଙ୍କ ୱିକେଟ୍ ଯିବା ପରେ ପୃଥ୍ୱୀ ନିଜର ଜବରଦସ୍ତ ଫର୍ମ ଜାରି ରଖିଥିଲେ। ସେ ମାତ୍ର ୧୨୨ ବଲରେ ୧୬୫ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୧୭ ଚୌକା ଓ ୭ ବିଶାଳ ଛକା ସାମିଲ୍ ଅଛି।

ତେବେ ଏହା ପୂର୍ବରୁ ମଧ୍ୟ ପୃଥ୍ୱୀ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ସୌରାଷ୍ଟ୍ର ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚରେ ପୃଥ୍ୱୀ ମାତ୍ର ୧୨୩ ବଲରେ ଅପରାଜିତ ୧୮୫ ରନ୍ କରିଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟରେ ପୁଡୁଚେରୀ ବିପକ୍ଷରେ ୧୫୨ ବଲରେ ଅପରାଜିତ ୨୨୭ ଓ ଦିଲ୍ଲୀ ବିପକ୍ଷରେ ୮୯ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପୃଥ୍ୱୀ ୭ଟି ମ୍ୟାଚରୁ ୭୫୪ ରନ୍ କରି ଟପ୍ ସ୍କୋରର ଅଛନ୍ତି।

ଆଜି ପୃଥ୍ୱୀଙ୍କ ଏହି ଇନିଂସ୍ ବଳରେ ମୁମ୍ବାଇ କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୩୨୨ ରନ୍ କରି ଅଲଆଉଟ୍ ହୋଇଛି। ପୃଥ୍ୱୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ କରିବାକୁ ସକ୍ଷମ ହୋଇନାହାନ୍ତି। ଶାମ୍ସ ମୁଲାନୀ ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବେ ୪୫ ରନ୍ କରିଥିବା ବେଳେ ଶିବମ୍ ଦୁବେ ୨୭ ଅମନ୍ ହାକିମ୍ ଖାନ୍ ୨୫ ଓ ଆଦିତ୍ୟ ତାରେ ୧୬ ରନ୍ କରିଛନ୍ତି। କର୍ଣ୍ଣାଟକ ପକ୍ଷରୁ ବିଜୟ କୁମାର ୪ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ୍ ନେଇଛନ୍ତି। ଉକ୍ତ ମ୍ୟାଚରେ ମୁମ୍ବାଇ ଯଦି ୩୨୨ ରନର ଡିଫେଣ୍ଡ୍ କରେ, ତାହେଲେ ଟିମ୍ ଫାଇନାଲରେ ସ୍ଥାନ ପକ୍କା କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।