ବିସିସିଆଇ ସଭାପତି ରେସ୍‌: ନାମାଙ୍କନ ଦାଖଲ କଲେ ରୋଜର ବିନ୍ନି, ନିଦ୍ୱର୍ନ୍ଦ୍ୱରେ ଜିତିବେ!

ନୂଆଦିଲ୍ଲି: ୧୯୮୩ ବିଶ୍ୱକପ ବିଜେତା ଟିମ୍‌ର ସଦସ୍ୟ ରୋଜର ବିନ୍ନି ଆଜି ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେ ନିଦ୍ୱର୍ନ୍ଦ୍ୱ ବିସିସିଆଇର ବସ୍‌ ଭାବେ ବିଜୟୀ ମଧ୍ୟ ହେବେ ବୋଲି ବୋର୍ଡର ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ୬୭ ବର୍ଷୀୟ ବିନ୍ନି ଏଯାଏ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଯଦି ଆଉ କେହି ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ, ତା’ହେଲେ ସେ ହିଁ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ। ଅକ୍ଟୋବର ୧୮ରେ ବିସିସିଆଇର ଏଜିଏମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ସମୟରେ ବିନ୍ନି ବିସିସିଆଇର ନୂଆ ବସ୍‌ ଭାବେ ଦାୟିତ୍ୱ ନେଇପାରନ୍ତି।

ଗାଙ୍ଗୁଲିଙ୍କ ସ୍ଥାନ କିଏ ନେବେ, ତା’କୁ ନେଇ ଗୋଟିଏ ସପ୍ତାହ ହେଲା ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ବିସିସିଆଇର ୩୬ତମ ସଭାପତି ଭାବେ ବିନ୍ନିଙ୍କୁ ଚୟନ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ବିନ୍ନିଙ୍କ ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ପୁଣିଥରେ ସଂପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେ ମଧ୍ୟ ନିଦ୍ୱର୍ନ୍ଦ୍ୱରେ ଆଉ ଗୋଟିଏ ଟର୍ମ ପାଇଁ ସଂପାଦକ ଭାବେ ନିର୍ବାଚିତ ହେବେ। ଖାଲି ସେତିକି ନୁହେଁ, ଜୟ ଶାହ ଆଇସିସି ବୋର୍ଡରେ ମଧ୍ୟ ଗାଙ୍ଗୁଲିଙ୍କ ବଦଳରେ ଭାରତର ପ୍ରତିନିଧିତ୍ୱ କରିବେ।

ରାଜୀବ ଶୁକ୍ଳା କହିଛନ୍ତି, “ରୋଜର ବିନ୍ନି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ମୁଁ ଉପ ସଭାପତି, ଜୟ ଶାହ ସଂପାଦକ, ଆଶିଷ ଶେହଲାର କୋଷାଧ୍ୟକ୍ଷ ଓ ଦେବଜିତ ସାଇକିଆ ଯୁଗ୍ମ ସଂପାଦକ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଅରୁଣ ଧୁମାଲ ଆଇପିଏଲ ଗର୍ଭର୍ଣ୍ଣିଂ କାଉସିଲର ମୁଖ୍ୟ ଓ ଅଭିଷେକ ଡାଲମିୟା କାଉନସିଲର ସଦସ୍ୟ ରହିପାରନ୍ତି। ଖାଇରୁଲ ଜମାଲ ମଜମୁଦାର ଆପେକ୍ସ କାଉନସିଲର ଅଂଶବିଶେଷ ରହିବ। ବର୍ତ୍ତମାନ ସୁଦ୍ଧା ନାମାଙ୍କନ ଦାଖଲ କରିଥିବା ସବୁ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବାର ସମ୍ଭାବନା ରହିଛି।”

ବିସିସିଆଇ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ବୁଧବାର। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହୋଇପାରିବ। ଅକ୍ଟୋବର ୧୫ରେ ବିଭିନ୍ନ ପଦପଦବୀ ପାଇଁ ଆଶାୟୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଅନ୍ୟପକ୍ଷରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ସିଂହ ଧୁମାଲ ବର୍ତ୍ତମାନ ବିସିସିଆଇ କୋଷାଧ୍ୟକ୍ଷ ଭାବେ କାମ କରୁଛନ୍ତି। ଆଶିଷ ଶେହଲା କୋଷାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିବାରୁ ଅରୁଣ ଆଇପିଏଲର ଅଧ୍ୟକ୍ଷ ହୋଇପାରନ୍ତି। ବ୍ରିଜେଶ ପଟେଲଙ୍କ ସ୍ଥାନରେ ସେ ଆଇପିଏଲ ଅଧ୍ୟକ୍ଷ ହେବେ।

ଏହାବାଦ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅତ୍ୟନ୍ତ ଘନିଷ୍ଠ ହେଉଛନ୍ତି ଦେବଜିତ ସାଇକିଆ। ସେ ଜୟେଶ ଜର୍ଜଙ୍କ ସ୍ଥାନରେ ବିସିସିଆଇର ନୂଆ ଯୁଗ୍ମ ସାଂପାଦକ ହେବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।