୯ହଜାର ରନ୍ କ୍ଲବରେ ରୋହିତ୍ ଶର୍ମା

ଅହମଦାବାଦ: ଭାରତର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଟି-୨୦ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ରୋହିତ୍ ଦ୍ୱିତୀୟ ଭାରତୀୟ କ୍ରିକେଟର୍ ଭାବେ ଟି-୨୦ରେ ୯ହଜାର ରନ୍ ପୂରଣ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ରୋହିତ୍ ଏହି ଉପଲବ୍ଧି ହାସଲ କରିଛନ୍ତି।

୯ହଜାର ରନ୍ ପୂରଣ ପାଇଁ ରୋହିତଙ୍କୁ ୧୧ ରନ୍ ଆବଶ୍ୟକ ଥିଲା। କିନ୍ତୁ ଆଜି ସେ ୧୨ ରନ୍ କରି ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ଭାରତୀୟଙ୍କ ମଧ୍ୟରେ ଟି-୨୦ରେ ସର୍ବାଧିକ ରନ୍ ବିରାଟ କୋହଲି କରିଛନ୍ତି। କୋହଲି ୯୬୫୦ ରନ୍ କରିଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି। ଗେଲ୍ ୧୩୨୯୬ ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜର କାଇରନ୍ ପୋଲାର୍ଡ ୧୦୩୭୦ ରନ୍, ପାକିସ୍ତାନର ଶୋଏବ ମଲିକ୍ ୯୯୨୬ ରନ୍, ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍ ମ୍ୟାକକୁଲମ୍ ୯୯୨୨ ରନ୍, କୋହଲି ୯୬୫୦ ରନ୍, ଡେଭିଡ୍ ୱାର୍ଣ୍ଣର୍ ୯୪୫୧ ରନ୍, ଆରୋନ୍ ଫିଞ୍ଚ୍ ୯୧୪୮ ରନ୍ ଓ ଏବି ଡି’ଭିଲିୟର୍ସ ୯୧୧୧ ରନ୍ କରିଛନ୍ତି।

ଆଜି ମ୍ୟାଚରେ ରୋହିତ୍ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ରୋହିତ୍ ପ୍ରଥମ ଭାରତୀୟ ଖେଳାଳି ଭାବେ ଘରୋଇ ମାଟିରେ ଟି-୨୦ରେ ୫୦ ଛକା ମାରିଛନ୍ତି। ରୋହିତ୍ ଆଜି ଆଦିଲ୍ ରଶିଦଙ୍କ ବଲରେ ଇନିଂସର ପ୍ରଥମ ବଲରେ ଛକା ମାରିଥିଲେ। କିନ୍ତୁ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।