ବିରାଟଙ୍କୁ ପ୍ରପୋଜ କରିଥିବା କ୍ରିକେଟର୍ ପୁରୁଷ ଟିମ୍କୁ ଦେବେ କୋଚିଂ
ନୂଆଦିଲ୍ଲୀ: ଇଂଲଣ୍ଡ ମହିଳା ଦଳର ପୂର୍ବତନ ୱିକେଟକିପର ସାରା ଟେଲର ଏବେ ପୁରୁଷ ଟିମକୁ କୋଚିଂ ଦେବେ। ସାରା ଇଂଲିଶ କାଉଣ୍ଟି କ୍ଲବ୍ ସସେକ୍ସ ଟିମର କାମଚଳା ୱିକେଟକିପର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ ସାରା ପ୍ରଥମ ମହିଳା ଭାବେ ଇଂଲିଶ କାଉଣ୍ଟି କ୍ଲବର କୋଚିଂ ଷ୍ଟାଫରେ ସ୍ଥାନ ପାଇ ଇତିହାସ ରଚିଛନ୍ତି। ଏବେ ସାରା ସସେକ୍ସ କ୍ଲବର ଯୁଗ୍ମ ମୁଖ୍ୟ କୋଚ୍ ଇଆନ୍ ସାଲିସବୁରୀ ଓ ଜେମ୍ସ କର୍ଟଲୀଙ୍କ ସହ କୋଚିଂ ଷ୍ଟାଫରେ ସାମିଲ୍ ହୋଇଛନ୍ତି। ସେ ଏବେ ଟିମର ପ୍ରଥମ କିପର୍ ବେନ୍ ବ୍ରାଉନ୍ ଓ ଫିଲ୍ ସଲ୍ଟଙ୍କ ସହ ପ୍ରଶିକ୍ଷଣ ଦେବେ।
ସସେକ୍ସ କ୍ଲବର ଯୁଗ୍ମ ମୁଖ୍ୟ କୋଚ୍ ଜେମ୍ସ କର୍ଟଲୀ କହିଛନ୍ତି, ସାରାଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରଚୁର ଅଭିଜ୍ଞତା ରହିଛି। ତେଣୁ ଟିମର ତାଙ୍କ ଅଭିଜ୍ଞତା ଖେଳାଳିମାନଙ୍କ ପାଇଁ ଫଳପ୍ରଦ ହେବ। ସେହିପରି ଖୋଦ୍ ସାରା କହିଛନ୍ତି, `କ୍ଲବର ୱିକେଟକିପର କୋଚ୍ ହେବା ମୋ ପାଇଁ ସମ୍ମାନର କଥା। ଟିମ୍ ସହ ମୁଁ ମୋର ଅଭିଜ୍ଞତା ବାଣ୍ଟିବି ଏବଂ ଆଗାମୀ ଦିନରେ ଟିମ୍ କିପରି ଉନ୍ନତ ପ୍ରଦର୍ଶନ କରିବ, ସେ ନେଇ ରଣନୀତି ପ୍ରସ୍ତୁତ କରିବୁ।` ୩୧ ବର୍ଷୀୟା ସାରା ପୁରୁଷ ଓ ମହିଳା କ୍ରିକେଟ୍ ଜଗତର ଅନ୍ୟତମ ଶ୍ରେଷ୍ଠ ୱିକେଟକିପର।
ସାରା ଇଂଲଣ୍ଡ ପକ୍ଷରୁ ୧୦ ଟେଷ୍ଟ ଖେଳି ୩୦୦ ରନ୍ କରିଛନ୍ତି। ସେହିପରି ସେ ଜାତୀୟ ଦଳ ପାଇଁ ୧୨୬ ଦିନିକିଆ ଓ ୯୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସାରା ୩୮.୨୬ ହାରରେ ୪୦୫୬ ରନ୍ ଓ ଟି-୨୦ରେ ୨୯.୦୨ ହାରରେ ୨୧୭୭ ରନ୍ କରିଛନ୍ତି। ୱିକେଟକିପର ଭାବେ ସାରା ଟେଷ୍ଟରେ ୧୮ କ୍ୟାଚ୍ ଓ ୨ ଷ୍ଟମ୍ପିଂ, ଦିନିକିଆରେ ୮୭ କ୍ୟାଚ୍ ଓ ୫୧ ଷ୍ଟମ୍ପିଂ ଓ ଟି-୨୦ରେ ୨୩ କ୍ୟାଚ୍ ଓ ୫୧ ଷ୍ଟମ୍ପିଂ କରିଛନ୍ତି।
ସାରା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପ୍ରପୋଜ କରି ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲେ। ସାରା ଟ୍ୱିଟରରେ କୋହଲିଙ୍କୁ ପ୍ରେମ ନିବେଦନ କରିଥିଲେ। ଏହାର ଜବାବରେ କୋହଲିଙ୍କ ମା’ କହିଥିଲେ ଯେ ତାଙ୍କ ପୁଅ ଏବେ ବିବାହ ପାଇଁ ଯୋଗ୍ୟ ହୋଇନାହିଁ। ତେବେ ପରବର୍ତ୍ତୀ ସମୟରେ କୋହଲି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିିିଥିଲେ। ଏବେ ବିରାଟ୍ ଓ ସାରା ପରସ୍ପରର ବନ୍ଧୁ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।