୨ ରନ୍ ପାଇଁ ଶତକରୁ ବଞ୍ଚିତ ହେଲେ ଧୱନ

ପୁଣେ: ଟିମ୍ ଇଣ୍ଡିଆର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଆରମ୍ଭରୁ ସତର୍କତାର ସହ ଖେଳିଥିବା ଧୱନ୍ ଦମଦାର ବ୍ୟାଟିଂ କରି ନିଜର ଅଷ୍ଟାଦଶ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ।

ଶତକରୁ ଆଉ ୨ ରନ୍ ପଛରେ ଥିଲା ବେଳେ ଧୱନଙ୍କୁ ଭ୍ରମଣକାରୀ ଦଳର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆଉଟ୍ କରିଥିଲେ। ଫଳରେ ଧୱନ୍ ୧୦୬ ବଲରେ ୯୮ ରନ୍ କରି ଆଉଟ୍ ହୋଇଛନ୍ତି। ଧୱନ୍ ନିଜର ଏହି ଇନିଂସରେ ୧୧ ଚୌକା ଓ ୨ ଛକା ମାରିଛନ୍ତି।

ଉକ୍ତ ମ୍ୟାଚରେ ଧୱନ୍ ନିଜ ନିୟମିତ ପାର୍ଟନର ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ରୋହିତ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଧୱନ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ। କୋହଲି ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଧୱନଙ୍କ ପାଖରେ ଶତକ ମାରିବା ପାଇଁ ଭଲ ସୁଯୋଗ ରହିଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଛନ୍ତି।

ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଧୱନଙ୍କୁ ମାତ୍ର ଗୋଟିଏ ମ୍ୟାଚରେ ଖେଳିବା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ଦିନିକିଆ ସିରିଜରେ ସେ ଜବରଦସ୍ତ ଆରମ୍ଭ କରିଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ଭାରତ ୩୯ ଓଭରରେ ୪ ୱିକେଟ୍ ହରାଇ ୧୯୭ ରନ୍ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।