ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା, ଦିନିକିଆ ସିରିଜରୁ ଆୟର୍ ଆଉଟ୍

ପୁଣେ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ଆହତ କାରଣରୁ ସିରିଜର ବାକି ଦୁଇଟି ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଏହାସହ ଆୟର୍ ଆସନ୍ତା ମାସରେ ଆରମ୍ଭ ହେବାକୁଥିବା ଆଇପିଏଲର ପ୍ରଥମ ଭାଗରେ ଖେଳିନପାରନ୍ତି।

ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆୟରଙ୍କୁ ଆଘାତ ଲାଗିଥିଲା। ଇଂଲଣ୍ଡ ଇନିଂସର ଅଷ୍ଟମ ଓଭରରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାରଷ୍ଟୋଙ୍କ ଶଟକୁ ରୋକିବା ପାଇଁ ଆୟର୍ ଡାଇଭ୍ ମାରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଡାଇଭ୍ ମାରୁଥିବା ବେଳେ ଆୟରଙ୍କ ବାମ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା। ଏହା ପରେ ଆୟର ଆଉ ଫିଲ୍ଡିଂ କରିବାକୁ ସକ୍ଷମ ହୋଇନଥିଲେ। ସେ ସାଥୀ ଖେଳାଳି ଓ ଫିଜିଓଙ୍କ ସହାୟତାରେ ମଇଦାନରୁ ବାହାରକୁ ଯାଇଥିଲେ। ଇଂଲଣ୍ଡ ବିପକ୍ଷ ବାକି ମ୍ୟାଚରୁ ଆୟରଙ୍କ ବାଦ୍ ହେବା ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

ମଙ୍ଗଳବାର ବିସିସିଆଇ ଟ୍ୱିଟ୍‌ କରି ଆୟରଙ୍କ ଆହତ ସମ୍ବନ୍ଧରେ ସୂଚନା ଦେଇଥିଲା। ବିସିସିଆଇ ମଧ୍ୟ ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମାଙ୍କ ଆହତକୁ ନେଇ ଅପଡେଟ୍ ଦେଇଥିଲା। ଆହତ କାରଣରୁ ରୋହିତ୍ ଫିଲ୍ଡିଂ କରିବାକୁ ଆସିନଥିଲେ।

ଏପ୍ରିଲ୍‌ ୯ ତାରିଖରୁ ଆଇପିଏଲର ୧୪ଶ ସଂସ୍କରଣ ଆରମ୍ଭ ହେବ। ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମର କ୍ୟାପଟେନ୍ ଅଛନ୍ତି। ଯଦି ଆୟର ସମ୍ପୂର୍ଣ୍ଣ ଫିଟ୍‌ ନହୁଅନ୍ତି, ତାହେଲେ ଆଇପିଏଲର ପ୍ରଥମ କିଛି ମ୍ୟାଚରେ ସେ ଉପଲବ୍ଧ ହୋଇପାରିବେ ନାହିଁ। ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣର ଫାଇନାଲକୁ ଉନ୍ନୀତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।