ଇଂଲଣ୍ଡର ବଡ଼ କ୍ଲ‍ବ୍ ପକ୍ଷରୁ ଖେଳିବେ ଆୟର୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର କାଉଣ୍ଟି କ୍ରିକେଟ୍ ଖେଳିବା ପାଇଁ ଇଂଲଣ୍ଡ ଯିବେ। ଆୟର୍ ଇଂଲିଶ କାଉଣ୍ଟି କ୍ଲବ୍ ଲାଙ୍କାଶାୟର୍ କ୍ରିକେଟ୍ ସହ ଚୁକ୍ତି କରିଛନ୍ତି। ସେ ଚଳିତ ବର୍ଷ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେ ଜୁଲାଇ ୧୫ ତାରିଖରେ ଓଲ୍ଡ ଟ୍ରାଫର୍ଡରେ ପହଞ୍ଚିବେ।

ଆୟର ପଞ୍ଚମ ଭାରତୀୟ କ୍ରିକେଟର୍ ଭାବେ ଲାଙ୍କାଶାୟର୍ ପକ୍ଷରୁ ଖେଳିବେ। ତେବେ ୧୯୬୮ରେ ଫାରୁକ୍ ଇଞ୍ଜିନିୟର୍ ଏହି କ୍ଲବର ଉପସଭାପତି ପଦରେ ରହିବା ମୁଖ୍ୟ ଆକର୍ଷଣ ଥିଲା। ଆୟରଙ୍କ ପୂର୍ବରୁ ମୁରଲୀ କାର୍ତ୍ତିକ, ଦିନେଶ ମୋଙ୍ଗିଆ, ଭିଭିଏସ୍ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲି ଲାଙ୍କଶାୟର୍ ପକ୍ଷରୁ ଖେଳିସାରିଛନ୍ତି।

ଲାଙ୍କଶାୟର କ୍ଲବ୍ ସହ ଚୁକ୍ତି କରିବା ପରେ ଆୟର୍ କହିଛନ୍ତି, ଲାଙ୍କଶାୟର୍ ଇଂଲିଶ କ୍ରିକେଟରେ ଏକ ଜଣାଶୁଣା ନାଁ, ଯାହାର ଭାରତୀୟ କ୍ରିକେଟ୍ ସହ ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ମୁଁ ଲାଙ୍କଶାୟରରେ ଫାରୁକ୍ ଇଞ୍ଜିନିୟର୍, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ କ୍ରିକେଟର ସହ ଏହି କ୍ଲବ୍ ଯୋଡ଼ି ହୋଇ ନିଜକୁ ଗୌରବ୍ୱାନିତ ମନେ କରୁଛି। ଓଲ୍ଡ ଟ୍ରାଫର୍ଡ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ଏବଂ ସେଠାରେ ନିଜ ସାଥୀ ଖେଳାଳି ଓ କ୍ଲବ୍ ସମର୍ଥକଙ୍କୁ ଭେଟିବା ପାଇଁ ମୁଁ ବହୁତ ଉତ୍ସାହିତ।

୨୬ ବର୍ଷୀୟ ଆୟର୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଏକ ବଡ଼ ନାଁ ଏବଂ ଗତ ସଂସ୍କରଣରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇ ୫୧୯ ରନ୍ କରିଥିଲେ। ବର୍ତ୍ତମାନ ଆୟର୍ ଇଂଲଣ୍ଡ ବିପକ୍ଷ ଚାଲିଥିବା ଦିନିକିଆ ସିରିଜରେ ଭାରତୀୟ ଦଳର ସଦସ୍ୟ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।