ଟି-୨୦ ବିଶ୍ୱକପରୁ ଦୀପକ ଚହର ଆଉଟ, ଅଷ୍ଟ୍ରେଲିଆ ଯିବେ ସିରାଜ, ଶାମି ଓ ଶାର୍ଦ୍ଦୁଲ ଠାକୁର!

ମୁମ୍ବାଇ: ଅକ୍ଟୋବର ୧୬ରୁ ଆରମ୍ଭ ହେଉଥିବା ପୁରୁଷ ଟି-୨୦ ବିଶ୍ୱକପ ପୂର୍ବରୁ ଆହତ ସମସ୍ୟା ଟିମ ଇଣ୍ଡିଆର ପିଛା ଛାଡ଼ୁନି। ପୂର୍ବରୁ ଆହତ ସମସ୍ୟା ଯୋଗୁ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ଏବେ ଷ୍ଟାଣ୍ଡବାଇ ଖେଳାଳି ଦୀପକ ଚହରଙ୍କୁ ମଧ୍ୟ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଛି।

ବୁମ୍ରା ଓ ଚହର ବାଦ ପଡ଼ିଥିବାରୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ଯୋଗଦେବାକୁ ୩ ଦ୍ରୁତ ବୋଲର ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଅଷ୍ଟ୍ରେଲିଆ ଗସ୍ତରେ ଯିବେ। କିନ୍ତୁ ଏହି ୩ ଜଣଙ୍କ ମଧ୍ୟରୁ କିଏ ୧୫ ଜଣିଆ ସ୍କ୍ୱାଡରେ ବୁମ୍ରାଙ୍କ ସ୍ଥାନ ନେବେ ଓ କେଉଁ ଦୁଇ ଜଣ ଷ୍ଟାଣ୍ଡବାଇରେ ରହିବେ, ସେକଥା ଜଣାପଡ଼ିନି। ହେଲେ ଏହି ୩ ଜଣ ହିଁ ଅଷ୍ଟ୍ରେଲିଆ ଗସ୍ତରେ ୧୩ ତାରିଖ ଯିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଆହତ ସମସ୍ୟା ଯୋଗୁ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳି ପାରି ନଥିଲେ। ତାଙ୍କୁ ସିରିଜ ଅଧାରୁ ରି-ହାବ ପାଇଁ ବେଙ୍ଗାଲୁରୁ ସ୍ଥିତି ଜାତୀୟ କ୍ରିକେଟ ଏକାଡେମୀକୁ ପଠାଯାଇଥିଲା। ସେଠାରେ ତାଙ୍କ ବ୍ୟାକ ଇଞ୍ଜୁରୀ ଗୁରୁତର ଥିବା ଜଣାପଡ଼ିଛି। ତେଣୁ ସେ ବିଶ୍ୱକପରୁ ବାଦ ପଡ଼ିଛନ୍ତି।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଫିଟ ହେବା ପାଇଁ ଦୀପକ ଚହରଙ୍କୁ କିଛି ସମୟ ଲାଗିବ। ତାଙ୍କ ପିଠି ଯନ୍ତ୍ରଣା ସମସ୍ୟା ପୁଣି ଦେଖାଦେଇଛି। ତାଙ୍କ ଗଣ୍ଠି ସମସ୍ୟା ଠିକ ରହିଛି। ଏହାକୁ ନେଇ କୌଣସି ଚିନ୍ତା ନାହିଁ। ତେଣୁ ବିସିସିଆଇ ବିଶ୍ୱକପ ପାଇଁ ୩ ଜଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଇବ। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଅଷ୍ଟ୍ରେଲିଆ ଗସ୍ତ କରିବେ।”

ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ବିସିସିଆଇ ପାଖରେ ଅକ୍ଟୋବର ୧୫ ଯାଏ ସମୟ ରହିଛି। ତେଣୁ ଏହି ଦ୍ରୁତ ବୋଲରଙ୍କ ଫର୍ମ ଓ ଫିଟନେସକୁ ଯାଞ୍ଚ କରାଯିବ। ସେହି ଆଧାରରେ ବୁମ୍ରାଙ୍କ ବଦଳ ଖେଳାଳି ଭାବେ କିଏ ୧୫ ଜଣିଆ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇବେ, ତା’ର ନିଷ୍ପତ୍ତି ନିଆଯିବ।

ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଅଧିକ। କିନ୍ତୁ ଶାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଫିଟନେସ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି।

୩ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ ନେଇ ମ୍ୟାନ ଅଫ ଦି ସିରିଜ ହାତେଇଛନ୍ତି। ତେଣୁ ବିସିସିଆଇ ତାଙ୍କୁ ବୁମ୍ରାଙ୍କ ବଦଳ ଖେଳାଳି ଭାବେ ଅଧିକ ପସନ୍ଦ କରିପାରେ।

ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଭାବେ ଷ୍ଟାଣ୍ଡବାଇରେ ରହିବେ। ସେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବ୍ୟାକଅପ। ଏହାବାଦ ପୂର୍ବରୁ ଶ୍ରେୟସ ଆୟର ଓ ରବି ବିଷ୍ଣୋଇ ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।