ସିଏବି ସଭାପତି ନିର୍ବାଚନ ଲଢ଼ିବେ ସୌରଭ ଗାଙ୍ଗୁଲି

କୋଲକାତା: ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ୍(ସିଏବି) ସଭାପତି ପଦ ନିର୍ବାଚନ ଲଢ଼ିବେ ୫୦ ବର୍ଷିୟ ସୌରଭ ଗାଙ୍ଗୁଲି। ସେ ବିସିସିଆଇର ଅଧ୍ୟକ୍ଷ ପଦ ହରାଇବାକୁ ଯାଉଥିବା ବେଳେ ଏଭଳି ଖବର ମିଳିଛି। କାରଣ ବିସିସିଆଇରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନି। ତେଣୁ ଗାଙ୍ଗୁଲି ଏବେ ଠାରୁ ନିଜ ରାସ୍ତା ବାଛିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସେ ସିଏବିର ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ୨୦୧୫ରେ ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ସେ ସିଏବିର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଅକ୍ଟୋବର ୨୦୧୯ରେ ବିସିସିଆଇର ସଭାପତି ହେବା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ଜଗମୋହନ ଡାଲମିଆଙ୍କ ପୁଅ ଅଭିଷେକ ଡାଲମିଆ ସିଏବିର ସଭାପତି ହୋଇଥିଲେ। ବର୍ତ୍ତମାନ ଅଭିଷେକ ଡାଲମିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୌରଭ ଗାଙ୍ଗୁଲି ସିଏବିର ସଭାପତି ପଦବୀ ପାଇଁ ଚଳିତ ମାସ ଶେଷ ସୁଦ୍ଧା ହେବାର ସମ୍ଭାବନା ଥିବା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ସେପଟେ ଅକ୍ଟୋବର ୧୮ରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ଆନୁଷ୍ଠାନିକ ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ଅର୍ଥାତ୍ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିବା ରୋଜର ବିନ୍ନି ଭାରତୀୟ ଦଳର ସଦସ୍ୟ ଥିଲେ। ରୋଜର ବିନ୍ନି ବିସିସିଆଇର ନୂତନ ଅଧ୍ୟକ୍ଷ ହେବାକୁ ଯାଉଥିବାବେଳେ ଜୟ ଶାହା ସଚିବ ଭାବରେ କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।