ପାକିସ୍ତାନରେ ଟେଷ୍ଟ ସିରିଜ୍‌ ଖେଳିବ ଇଂଲଣ୍ଡ: ଘୋଷଣା କଲା ୧୫ ଜଣିଆ ସ୍କ୍ୱାଡ

ଲଣ୍ଡନ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବ ଇଂଲଣ୍ଡ। ଚଳିତ ବର୍ଷ ଡିସେମ୍ବର ୧ରୁ ୨୧ ଯାଏ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ୩ ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ। ଶେଷଥର ପାଇଁ ୨୦୦୫ରେ ଇଂଲଣ୍ଡ ପ୍ରତିପକ୍ଷ ପାକିସ୍ତାନ ମାଟିରେ କୌଣସି ଟେଷ୍ଟ ସିରିଜ ଖେଳିଥିଲା।

ଏହି ବହୁପ୍ରତିକ୍ଷୀତ ଟେଷ୍ଟ ସିରିଜ୍‌ ପାଇଁ ଆଜି ଇଂଲଣ୍ଡ କ୍ରିକେଟ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ବେନ ଷ୍ଟୋକ୍ସ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଲିଆମ ଲିଭିଙ୍ଗଷ୍ଟୋନ ଓ କିଏଟିନ ଜେନ୍ନିଙ୍ଗସଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି। ୩ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲିଭିଙ୍ଗଷ୍ଟୋନଙ୍କୁ କୌଣସି ଟେଷ୍ଟ ସ୍କ୍ୱାଡରେ ଇଂଲଣ୍ଡ କ୍ରିକେଟ ସାମିଲ କରିଛି। ପୂର୍ବରୁ ସେ କେବଳ ଦିନିକିଆ ଓ ଟି-୨୦ କ୍ରିକେଟ ଖେଳୁଥିଲେ।

ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଲିଭିଙ୍ଗଷ୍ଟୋନ ସମ୍ଭବତଃ ପାକିସ୍ତାନ ମାଟିରେ ନିଜ ଟେଷ୍ଟ ଡେବ୍ୟୁ କରି ପାରନ୍ତି। ସେହିପରି ପ୍ରଥମଥର ପାଇଁ ୱିଲ ଜ୍ୟାକ୍ସଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ଉଭୟ ବ୍ୟାଟ ଓ ଅପସ୍ପିନରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି।

ଅନ୍ୟପକ୍ଷରେ ପ୍ରଥମଥର ନଭେମ୍ବର ଶେଷ ଭାଗରେ ବାପା ହେବାକୁ ଯାଉଥିବା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଦେଖିବାକୁ ମିଳିବନି। ତାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ମାର୍ଚ୍ଚ ପରେ ପ୍ରଥମଥର ପାଇଁ ମାର୍କ ଉଡଙ୍କୁ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିଛି। ସେ ବ୍ରଡଙ୍କ ସ୍ଥାନରେ ଇଂଲଣ୍ଡର ବୋଲିଂ ମଙ୍ଗ ସମ୍ଭାଳିବେ। ତାଙ୍କ ସହ ଅଭିଜ୍ଞ ଜେମ୍ସ ଆଣ୍ଡରସନ ରହିଛନ୍ତି। ଜୁନ୍ ମାସରେ ଇଂଲଣ୍ଡ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ଜାମି ଓଭରଟନ୍‌ ମଧ୍ୟ ପୁଣି କମବ୍ୟାକ କରିଛନ୍ତି।

ଇଂଲଣ୍ଡ ସ୍କ୍ୱାଡ: ବେନ ଷ୍ଟୋକ୍ସ(ଅଧିନାୟକ), ଜେମ୍ସ ଆଣ୍ଡରସନ, ହ୍ୟାରୀ ବ୍ରୁକ, ଜ୍ୟାକ କ୍ରାଉଲୀ, ବେନ ଡକେଟ୍ଟ, ବେନ ଫୋକ୍ସ, ୱିଲ ଜ୍ୟାକ୍ସ, କିଏଟନ ଜେନ୍ନିଙ୍ଗସ, ଜ୍ୟାକ ଲିଚ୍‌, ଲିଆମ ଲିଭିଙ୍ଗଷ୍ଟୋନ, ଜାମି ଓଭରଟନ, ଓଲି ପପ, ଜୋ ରୁଟ, ଓଲି ରବିନସନ ଓ ମାର୍କ ଉଡ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।