ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲ୍ୟାଣ୍ଡ ପାଇଁ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ

ମାଉଣ୍ଟ ମୌଙ୍ଗନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମୌଙ୍ଗନୁଇରେ ଖେଳା ଯାଉଛି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡକୁ ଦେଇଛି ୧୯୨ ରନ୍‌ର ବିଜୟ ଲକ୍ଷ୍ୟ। ସୂର୍ଯ୍ୟକୁମାର ଯାଦବ ୫୧ଟି ବଲ୍‌ରୁ ୧୧ଟି ଚୌକା ଓ ୭ଟି ଛକା ସହାୟତାରେ ୧୧୧ ରନ୍ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତିବା ପରେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଶାନ କିଶନ ଓ ୱିକେଟ୍ କିପର ଋଷଭ ପନ୍ତ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଋଷଭ ପନ୍ତ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୬ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ ଟିମ୍ ସାଉଦିଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ତା’ପରେ ମ୍ୟାଚ୍ ନେଇଥିଲା ଭିନ୍ନ ମୋଡ଼। ପଡ଼ିଆକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ। ସେ ଓ ଇଶାନ କିଷନ ଖେଳକୁ ଆଗକୁ ବଢ଼ାଇଥିଲେ। ଦୁହେଁ ସ୍କୋରକୁ ଆଗେଇ ନେଉଥିବା ବେଳେ ୯.୧ ଓଭରରେ ଦଳୀୟ ସ୍କୋର ୬୯ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଇଶାନ। ସେ ୩୧ଟି ବଲ୍‌ରୁ ୩୬ ରନ୍ କରି ଥିବା ବେଳେ ଇଶ ସୋଧିଙ୍କ ବଲରେ ଟିମ୍ ସାଉଦିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌କୁ ରୋକି ପାରି ନଥିଲା। ସେ ଛକା ଓ ଚୌକାର ବର୍ଷା କରି ଚାଲିଲେ। ଶ୍ରେୟସ ଆୟାର ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଯଥାକ୍ରମେ ୪ ଓ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେମାନେ ଅଧିକ ସମୟ କ୍ରିଜ୍‌ରେ ରହିବାରେ ବିଫଳ ହୋଇଥିଲେ। ଶ୍ରେୟସ ଓ ହାର୍ଦ୍ଦିକ ୧୩ ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ। ଦୀପକ ହୁଡା ଓ ୱାଶିଂଟନ ସୁନ୍ଦର ଖାତା ଖୋଲି ପାରି ନଥିଲେ। ତେବେ ଗୋଟିଏ ପରେ ୱିକେଟ୍ ଯାଉଥିଲେ ମଧ୍ୟ ତାହା ସୂର୍ଯ୍ୟକୁମାର ଯାଦବଙ୍କୁ ବିଚଳିତ କରିପାରି ନଥିଲା। ସେ ନ୍ୟୁଜିଲ୍ୟାଣ୍ଡ ବୋଲରକୁ ପ୍ରହାର ପରେ ପ୍ରହାର କରି ଚାଲିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୬ ୱିକେଟ୍ ହରାଇ ୧୯୧ ରନ୍ କରିଛି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଲୋକି ଫର୍ଗୁସନ୍‌ ୨ ଓ ଇଶ ସୋଧି ଗୋଟିଏ ୱିକେଟ୍ ନେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।