ଟି-୨୦ ରାଙ୍କିଙ୍ଗ: ସୂର୍ଯ୍ୟ କୁମାର ସ୍ଥିର, ଟପ୍‌ ୫ରେ କନୱେ

ଦୁବାଇ: ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଭାରତର ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ୨ନଂ ସ୍ଥାନରେ ସ୍ଥିର ରହିଛନ୍ତି। ସେହିପରି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ ୧ନଂ ସ୍ଥାନ ବଜାୟୀ ରଖିଛନ୍ତି। ତେବେ ଟପ୍‌ ୫ରେ ନୂଆ ମୁହଁ ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟର ଡେଭୋନ କନୱେ ପ୍ରବେଶ କରିଛନ୍ତି।

ପାକିସ୍ତାନ-ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତ୍ରିପାକ୍ଷିକ ସିରିଜ୍‌ରେ କନୱେ ଦମଦାର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି।
ରିଜୱାନ ୮୫୩ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ସୂର୍ଯ କୁମାର ଯାଦବ ତାଙ୍କ ଠାରୁ ମାତ୍ର ୧୫ ପଏଣ୍ଟ ପଛରେ ରହିଛନ୍ତି। ସୂର୍ଯ୍ୟ କୁମାରଙ୍କ ପଏଣ୍ଟ ସଂଖ୍ୟା ୮୩୮ ରହିଛି। ଗତ ସପ୍ତାହରେ ଏହି ଦୁଇ ଜଣଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୧୬ ରହିଥିଲା। କିନ୍ତୁ ଚଳିତ ସପ୍ତାହରେ ଏହା ଗୋଟିଏ ପଏଣ୍ଟ ହ୍ରାସ ପାଇଛି।

୮୦୩ ପଏଣ୍ଟ ସହ ବାବର ଆଜମ ରାଙ୍କିଙ୍ଗର ୩ନଂ ସ୍ଥାନରେ, ଦକ୍ଷିଣ ଆଫ୍ରିକାର ଏଦେନ ମାର୍କମ ୭୭୭ ପଏଣ୍ଟ ସହ ୪ର୍ଥରେ ଓ କନୱେ ୭୬୦ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି। କନୱେ ଏବେ ଚାଲିଥିବା ତ୍ରିପାକ୍ଷିକ ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳି ୨୦୯ ରନ କରିଛନ୍ତି। ଆଜି ବାଂଲାଦେଶ ବିପକ୍ଷ କନୱେ ମ୍ୟାଚ୍‌ ୱିନଂ ୬୪ ରନର ଇନିଂସ ଖେଳିଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି।

ଏହାବାଦ ଲୋକେଶ ରାହୁଲ(୧୩ତମ), ବିରାଟ କୋହଲି(୧୪ତମ) ଓ ରୋହିତ ଶର୍ମା(୧୬ତମ)ଙ୍କ ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।