ମ୍ୟାଚ୍ ଜିତିବା ପରେ ଦଣ୍ଡିତ ହେଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ସତ୍ତ୍ୱେ ଭାରତୀୟ ଟିମକୁ ଦଣ୍ଡିତ ହେବାକୁ ପଡ଼ିଛି। ମ୍ୟାଚରେ ସ୍ଲୋ’ ଓଭର୍ ରେଟ୍ ପାଇଁ ଟିମ୍ ଇଣ୍ଡିଆ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ବୋଲିଂ କରିଛି, ଯେଉଁ କାରଣରୁ ମ୍ୟାଚ୍ ରେଫରୀ ଜାଭାଗଲ ଶ୍ରୀନାଥ ଏହି ଜୋରିମାନା ଲଗାଇଛନ୍ତି।

ଏ ନେଇ ଆଇସିସି ଏକ ବୟାନ ଜାରି କରି କହିଛି, ଆଇସିସି ଧାରାର ଅନୁଚ୍ଛେଦ ୨.୨୨ ଅନୁଯାୟୀ, ଭାରତୀୟ ଟିମ୍ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ୍ ପକାଇବା କାରଣରୁ ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। କୋହଲି ମଧ୍ୟ ନିଜ ଭୁଲ୍ ସ୍ୱୀକାର କରି ନେଇଛନ୍ତି। ଏଥିପାଇଁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକ ହୋଇନାହିଁ।

ସୂଚନାଯୋଗ୍ୟ, ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୪ ରନ୍ କରିଥିଲା। ଜବାବରେ ଈଶାନ୍ କିଶନ ଓ କ୍ୟାପଟେନ୍ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୭.୫ ଓଭରରେ ୩ ୱିକେଟ୍‌ ହରାଇ ଆବଶ୍ୟକ ରନ୍ କରିନେଇଥିଲା। ଭାରତ ପକ୍ଷରୁ କୋହଲି ୪୯ ବଲରେ ୫ ଚୌକା ଓ ୪ ଛକା ସହ ଅପରାଜିତ ୭୩ ଓ ଇଶାନ୍ କିଶନ ୩୨ ବଲରେ ୫ ଚୌକା ଓ ୪ ଛକା ସହ ୫୬ ରନ୍ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।