ବିନା ଦର୍ଶକରେ ଦମ୍ ଦେଖାଇଲେ କୋହଲି, ଭାରତ ୧୫୬/୬

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଲଢ଼ୁଆ ଇନିଂସ୍ ବଳରେ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଛି। ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ କୋହଲି ସର୍ବାଧିକ ଅପରାଜିତ ୭୭ (୪୬ ବଲ୍, ୮ ଚୌକା, ୪ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ସିରିଜରେ ଅଗ୍ରଣୀ ହାସଲ ପାଇଁ ଇଂଲଣ୍ଡକୁ ୧୫୭ ରନ୍ କରିବାକୁ ପନିବ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ନିଜର ୧୦୦ତମ ମ୍ୟାଚ୍ ଖେଳୁଥିବା ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପୁଣିଥରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଲୋକେଶ ରାହୁଲ କ୍ରମାଗତ ତୃତୀୟ ମ୍ୟାଚରେ ଫେଲ୍ ମାରିଛନ୍ତି। ପୂର୍ବ ମ୍ୟାଚ୍ ଭଳି ରାହୁଲ ଆଜି ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ମାର୍କ ଉଡ୍ କ୍ଲିନ୍ ବୋଲ୍ଡ କରିଥିଲେ। କମବ୍ୟାକ୍ କରିଥିବା ରୋହିତ୍ ଶର୍ମା ୧୫ ରନ୍ କରି ଆଉଟ୍ ହୋଇଥିଲେ।

ଡେବ୍ୟୁ ମ୍ୟାଚରେ ମ୍ୟାନ୍ ଅଫ୍ ମ୍ୟାଚ୍ ହୋଇଥିବା ଈଶାନ୍ କିଶନ (୪) ନିରାଶ କରିଥିଲେ। କ୍ରିସ୍ ଜୋର୍ଡାନଙ୍କ ବାଉନ୍ସରକୁ ଛକା ମାରିବା ପ୍ରୟାସରେ ଈଶାନ୍ ୱିକେଟକିପର ଜୋଶ୍ ବଟଲରଙ୍କ ଦ୍ୱାରା ଧରା ପଡ଼ିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଆରମ୍ଭ କରିଥିଲେ, କିନ୍ତୁ ବିରାଟ୍ କୋହଲିଙ୍କ ସହ ଭୁଲ୍ ବୁଝାମଣା କାରଣରୁ ସେ ରନଆଉଟ୍ ହୋଇଥିଲେ। ପନ୍ତ ୨୦ ବଲରେ ୩ ଚୌକା ସହ ୨୫ ରନ୍ କରିଥିଲେ। ଶ୍ରେୟସ ଆୟର୍ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ। ସେ ୯ ରନ୍ କରି ମାର୍କ ଉଡଙ୍କ ବଲରେ ଡେୱିଡ୍ ମଲାନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଭାରତର ସ୍କୋର ୫ ୱିକେଟରେ ୮୬ ରନରେ ଥିବା ବେଳେ କୋହଲିଙ୍କୁ ସାଥ୍ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ଷଷ୍ଠ ୱିକେଟ୍‌ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ୧୫୬ ରନର ସମ୍ମାନଜନକ ସ୍କୋରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୧୫ ବଲ୍ ଖେଳି ୨ ଚୌକା ସହ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ଓ ଜୋର୍ଡାନ୍ ୨ଟି ୱିକେଟ୍‌ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।