ଘରୋଇ ମାଟିରେ ନୂଆ ବିଶ୍ୱ ରେକର୍ଡ କଲେ କୋହଲି

ପୁଣେ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କ୍ୟାରିୟରର ୬୧ତମ ଅର୍ଦ୍ଧଶତକ ମାରିବା ସହ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ଘରୋଇ ମାଟିରେ ୧୦ହଜାର ରନ୍ ପୂରଣ କରିଛନ୍ତି। ଏଥିସହ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ସହ ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି।

ସଚିନ୍ ଘରୋଇ ମାଟିରେ ୧୪୧୯୨ ରନ୍ କରିଛନ୍ତି। କୋହଲିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୩୧୧୭ ରନ୍), ଜ୍ୟାକ୍ କାଲିସ (୧୨୩୦୫ ରନ୍), କୁମାର ସାଙ୍ଗାକାରା (୧୨୦୪୩ ରନ୍) ଓ ମାହେଲା ଜୟବର୍ଦ୍ଧନେ (୧୧୬୭୯ ରନ୍) ମଧ୍ୟ ଘରୋଇ ମାଟିରେ ୧୦ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ତେବେ କୋହଲି ଦ୍ରୁତ ୧୦ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲି ମାତ୍ର ୧୯୫ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଆଜି ମ୍ୟାଚରେ ଅର୍ଦ୍ଧଶତକ ସହ କୋହଲି ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଏବେ ୫୦ରୁ ଊର୍ଦ୍ଧ୍ୱ ରନ୍ କରିବାରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସଙ୍କୁ ପଛରେ ପକାଇଛନ୍ତି। କାଲିସ ଦିନିକିଆରେ ୧୦୩ଥର ୫୦ରୁ ଊର୍ଦ୍ଧ୍ୱ ରନ୍ କରିଥିବା ବେଳେ କୋହଲି ୧୦୪ଥର ଏହି ରେକର୍ଡ ନିଜ ନାଁରେ କରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ରନ୍ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସଚିନ୍ ୧୪୫ଥର ୫୦ରୁ ଊର୍ଦ୍ଧ୍ୱ ରନ୍ କରିଥିବା ବେଳେ ସାଙ୍ଗାକାରା ୧୧୮ଥର ଏବଂ ପଣ୍ଟିଂ ୧୧୨ ଥର ଏହି କାରନାମା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।