ଟି-୨୦ ରାଙ୍କିଙ୍ଗରେ କୋହଲିଙ୍କୁ ଫାଇଦା, ଖସିଲେ ରାହୁଲ୍

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିବା ବିରାଟ୍ କୋହଲିଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ଫାଇଦା ହୋଇଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଖାତା ଖୋଲିପାରିନଥିବା କୋହଲି ଦ୍ୱିତୀୟ ମ୍ୟାଚରେ ଅପରାଜିତ ୭୩ ଓ ତୃତୀୟ ମ୍ୟାଚରେ ଅପରାଜିତ ୭୭ ରନ୍ କରିଥିଲେ। ଏହି ଦୁଇଟି ଆକର୍ଷଣୀୟ ଇନିଂସ୍ ପାଇଁ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି।

ଟି-୨୦ରେ ରାଙ୍କିଙ୍ଗର ଟପ୍-୫ରେ ପହଞ୍ଚି ଆଉ ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଏବେ ତିନୋଟି ଯାକ ଫର୍ମାଟରେ ଟପ୍-୫ରେ ସ୍ଥାନ ହାସଲ କରିବାରେ ଦୁନିଆର ପ୍ରଥମ କ୍ରିକେଟର୍ ହୋଇଛନ୍ତି। କୋହଲି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଟେଷ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ ୧, ୦, ୦ ରନ୍ କରିଥିବା ରାହୁଲ୍ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଗତବର୍ଷ ଡିସେମ୍ବରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ଯଥାକ୍ରମେ ୫୧ ଓ ୩୦ ରନ୍ କରିଥିବା ରାହୁଲ୍ ବର୍ତ୍ତମାନ ଖରାପ ଫର୍ମରେ ଅଛନ୍ତି। ରାହୁଲ ନିଜର ଶେଷ ୪ଟି ଇନିଂସ୍ ମଧ୍ୟରୁ ତିନିଥର ଖାତା ଖୋଲିପାରିନାହାନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଇଂଲଣ୍ଡ ଡେୱିଡ୍ ମଲାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଦ୍ୱିତୀୟ, ପାକିସ୍ତାନର ବାବର ଆଜମ ତୃତୀୟ ଓ ରାହୁଲ୍ ଚତୁର୍ଥରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ଆଫଗାନିସ୍ତାନର ରଶିଦ୍ ଖାନ୍ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡରଙ୍କ ତାଲିକାରେ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।