କୋହଲିଙ୍କ ବିଶ୍ୱ କୀର୍ତ୍ତିମାନ, ପଛରେ ପଡ଼ିଲେ ରୋହିତ୍ ଓ ଗପ୍ଟିଲ୍

ଅହମ୍ମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। କୋହଲି ଦୁନିଆର ପ୍ରଥମ କ୍ରିକେଟର୍ ଭାବେ ଟି-୨୦ରେ ୩ହଜାର ରନ୍ ପୂରଣ କରିଛନ୍ତି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ କୋହଲି ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି।

କୋହଲି ଅଷ୍ଟାଦଶ ଓଭରରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ସିରିଜର ପ୍ରଥମ ମ୍ୟାଚରେ ଖାତା ଖୋଲିପାରିନଥିବା କୋହଲି ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ୩ହଜାର ରନର ମାଇଲଖୁଣ୍ଟ ଛୁଇଁବା ପାଇଁ କୋହଲିଙ୍କୁ ୭୨ ରନର ଆବଶ୍ୟକ ଥିଲା। ଦ୍ୱିତୀୟ ଟି-୨୦ରେ କୋହଲି ୭୩ ରନ୍‌ର ଇନିଂସ୍ ଖେଳି ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଟି-୨୦ରେ କ୍ରିକେଟରେ ଏବେ ସର୍ବାଧିକ ରନର ରେକର୍ଡ କୋହଲିଙ୍କ ନାଁରେ ହୋଇଛି।

କୋହଲିଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ ୯୯ ଟି-୨୦ ମ୍ୟାଚରେ ୨୮୩୯ ରନ୍ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରୋହିତ୍ ଶର୍ମା ୧୦୯ ମ୍ୟାଚରେ ୨୭୭୩ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ମଧ୍ୟ ଟି-୨୦ରେ ଦ୍ରୁତ ୩ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲି ମାତ୍ର ୮୧ ଟି-୨୦ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

ଏହାସହ କୋହଲି ଆଉଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୨ହଜାର ରନ୍ ପୂରଣ କରିଛନ୍ତି। ୧୨ହଜାର ରନ୍ ପାଇଁ କୋହଲିଙ୍କୁ ୧୭ ରନ୍ ଆବଶ୍ୟକ ଥିଲା। ହେଲେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ କୋହଲି ସହଜରେ ଏହି ଟାର୍ଗେଟକୁ ପୂରଣ କରିନେଇଥିଲେ। କ୍ୟାପଟେନ୍ ଭାବେ ସର୍ବାଧିକ ରନର ରେକର୍ଡ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ୧୫,୪୪୦ ରନ୍ ସହ ପ୍ରଥମ ଓ ଗ୍ରେମ୍ ସ୍ମିଥ୍ ୧୪,୮୭୮ ରନ୍ ସହ ଦ୍ୱିତୀୟରେ ରହିଛନ୍ତି। କୋହଲି ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।