ବଡ଼ ରେକର୍ଡ ଅପେକ୍ଷାରେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆସନ୍ତାକାଲିଠାରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଟି-୨୦ ସିରିଜର ସବୁଯାକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କୋହଲି ପ୍ରଥମ ଟି-୨୦ ମ୍ୟାଚରେ ଯଦି ୭୨ ରନ୍ କରନ୍ତି, ତାହେଲେ ଦୁନିଆର ପ୍ରଥମ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୩ହଜାର ରନ୍ କରିବେ।

କୋହଲି ବର୍ତ୍ତମାନ ଅନ୍ତର୍ଜାତୀୟ ଟି-୨୦ରେ ୨୯୨୮ ରନ୍ ସହ ସର୍ବାଧିକ ସ୍କୋରର ତାଲିକାର ଶୀର୍ଷରେ ଅଛନ୍ତି। ୩ହଜାର ରନର ମାଇଲଖୁଣ୍ଟ ଛୁଇଁବା ପାଇଁ କୋହଲିଙ୍କୁ ୭୨ ରନ୍ ଦରକାର। ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩ହଜାର ରନ୍ କରିନାହାନ୍ତି।

କୋହଲି ଏପର୍ଯ୍ୟନ୍ତ ୮୫ ଟି-୨୦ ମ୍ୟାଚ୍ ଖେଳି ୫୦.୪୮ ହାରରେ ୧୩୮.୪୩ ଷ୍ଟ୍ରାଇକରେଟରେ ୨୯୨୮ ରନ୍ କରିଛନ୍ତି, ଯେଉଁଥିରେ ୨୫ ଅର୍ଦ୍ଧଶତକ ସାମିଲ୍ ଅଛି। ଏହି ଫର୍ମାଟରେ କୋହଲିଙ୍କର ସର୍ବାଧିକ ରନ୍ ୯୪ ରନ୍ ରହିଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଶତକ ହାସଲ କରିପାରିନାହାନ୍ତି। ଅନ୍ୟପକ୍ଷରେ ଓଭରଅଲ୍ ଟି-୨୦ କ୍ରିକେଟରେ କୋହଲି ୨୯୯ ମ୍ୟାଚରେ ୪୧.୩୦ ହାରରେ ୧୩୩.୯୫ ଷ୍ଟ୍ରାଇକରେଟରେ ୯୫୦୦ ରନ୍ କରିଛନ୍ତି। ଏଥିରେ ବିରାଟଙ୍କ ନାମରେ ୫ ଶତକ ଓ ୬୮ ଅର୍ଦ୍ଧଶତକ ରହିଛି।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍। ଗପ୍ଟିଲ୍ ୨୮୩୯ ରନ୍ କରିଛନ୍ତି। ସେହିପରି ଭାରତର ରୋହିତ୍ ଶର୍ମା ୨୭୭୩ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପାଖରେ ମଧ୍ୟ ଗପ୍ଟିଲଙ୍କୁ ପଛରେ ପକାଇବାର ଭଲ ସୁଯୋଗ ରହିଛି।

କୋହଲିଙ୍କ ପାଖରେ ଆଉ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। କ୍ୟାପଟେନ୍ ଭାବେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୨ହଜାର ରନ୍ କରିବାରୁ ୧୭ ରନ୍ ଦୂରରେ ଅଛନ୍ତି। ତେବେ କ୍ୟାପଟେନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସର୍ବାଧିକ ରନର ରେକର୍ଡ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ୧୫,୪୪୦ ରନ୍ ସହ ପ୍ରଥମ ଓ ଗ୍ରେମ୍ ସ୍ମିଥ୍ ୧୪,୮୭୮ ରନ୍ ସହ ଦ୍ୱିତୀୟରେ ରହିଛନ୍ତି। କୋହଲି ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।