ଦିନିକିଆରେ ଟିମ ଇଣ୍ଡିଆ ପାଇଁ କିଏ ଓପନ କରିବେ, ଜବାବ ଦେଲେ ବିରାଟ

ପୁଣେ: ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟେଷ୍ଟ ଓ ଟି-୨୦ ସିରିଜ୍‌କୁ କବଜା କରିବା ପରେ ଏବେ ବିରାଟ ବାହିନୀର ନଜର ଦିନିକିଆ ଟ୍ରଫି ଉପରେ ରହିଛି। ଟି-୨୦ ସିରିଜ୍‌ରେ ଓପନିଂକୁ ନାନା ପରୀକ୍ଷାନୀରିକ୍ଷା କରାଯାଇଥିଲା।

ଏବେ ଦିନିକିଆରେ ସେଭଳି କିଛି ହେବ କି? ତା’ର ଉତ୍ତର ଆଜି ଅଧିନାୟକ ବିରାଟ କୋହଲି ଦେଇଛନ୍ତି। ସେ କହିଛନ୍ତି, ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ରୋହିତ ଶର୍ମା ଓ ଶିଖର ଧୱନ ହିଁ ଟିମ୍‌ ଇଣ୍ଡିଆର ପ୍ରଥମ ଓପନର। ଟି-୨୦ ସିରିଜର ୫ମ ମ୍ୟାଚରେ ରୋହିତଙ୍କ ସହ ବିରାଟ କୋହଲି ଓପନ କରିଥିଲେ। ଏହାର ଅର୍ଥ ନୁହେଁ ଯେ ସେ ସବୁ ଫର୍ମାଟରେ ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ତେଣୁ ରୋହିତଙ୍କ ସହ ଧୱନ ହିଁ ପୂର୍ବଭଳି ଭାରତ ପାଇଁ ଇନିଂସ ଆରମ୍ଭ କରିବେ ବୋଲି ବିରାଟ ସ୍ପଷ୍ଟ କରିଛନ୍ତି।

ଆଜି ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି, “ଯଦି ଆମେ ଓପନିଂ କଥା ବିଚାରକୁ ନେବା, ତା’ହେଲେ ଶିଖରଙ୍କ ସହ ରୋହିତ ହିଁ ଇନିଂସ ଆରମ୍ଭ କରିବେ। ବିଗତ କିଛି ବର୍ଷ ହେଲା, ସେମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ୫୦ ଓଭର ମ୍ୟାଚ୍‌ରେ ରୋହିତ ଓ ଶିଖର ହିଁ ଆମର ପ୍ରଥମ ଓପନର।”

କ’ଣ ଆଗକୁ ରୋହିତଙ୍କ ସହ ଇଂଲଣ୍ଡ ବିପକ୍ଷ ୫ମ ଟି-୨୦ ମ୍ୟାଚ୍‌ ଭଳି ବିରାଟ ନିଜେ ଇନିଂସ ଆରମ୍ଭ କରିବେ କି ପ୍ରଶ୍ନର ଉତ୍ତରେ ସେ କହିଛନ୍ତି, “ଭବିଷ୍ୟତରେ କ’ଣ ହେବ, ତା’ର ଗ୍ୟାରେଣ୍ଟି ଦେଇହେବ ନାହିଁ। ହଁ ଏହା ବିଚାରକୁ ନିଆଯାଇ ପାରେ। ସୂର୍ଯ୍ୟ କୁମାର ଯାଦବଙ୍କ ପାଇଁ ସ୍ଲଟ ଖାଲି କରିବା ପାଇଁ ଯାହା ବି ଦରକାର ଥିଲା, ତଦନୁଯାୟୀ ଆମେ ଯୋଜନା କରିଥିଲୁ। କାରଣ ସେ ୩ନଂ ପୋଜିସନରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଟି-୨୦ରେ ମଧ୍ୟ ସେ ନିଜ ଜଲୱା ଦେଖାଇଥିଲେ। ଏହା ଦଳ ପାଇଁ ଭଲ ମଧ୍ୟ ସାବ୍ୟସ୍ତ ହୋଇଥିଲା। ସୂର୍ଯ୍ୟ ବହୁତ ଚମତ୍କାର ଖେଳାଳି।”

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସୂର୍ଯ୍ୟ କୁମାର ଯାଦବ ଭାରତ ପାଇଁ ଡେବ୍ୟୁ କରିଥିଲେ। ହେଲେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ୩ୟ ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା। ଏହାପରେ ୪ର୍ଥ ଟି-୨୦ରେ ସେ କମବ୍ୟାକ୍‌ କରି ୩ନଂରେ ବ୍ୟାଟିଂ କରିଥିଲେ।

ଏହି ମ୍ୟାଚ୍‌ରେ ସେ ୫୭ ରନ୍‌ର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ୍‌ ମଧ୍ୟ ପାଇଥିଲେ। ୫ମ ଟି-୨୦ରେ ବିରାଟ ରୋହିତଙ୍କ ସହ ଇନିଂସ ଆରମ୍ଭ କରିଥିଲେ ଓ ସୂର୍ଯ୍ୟ କୁମାର ଯାଦବ ୩ନଂରେ ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ସେ ବିସ୍ଫୋରକ ୩୨ ରନ୍‌ କରିଥିଲେ। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ସାମିଲ କରାଯାଇଛି। ଦିନିକିଆରେ ସେ କେତେ ନଂରେ ବ୍ୟାଟିଂ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।