କାହିଁକି ଭାରତ ବିପକ୍ଷ ଟି-୨୦ରେ ଡବଲ୍ କ୍ୟାପ୍ ପିନ୍ଧି ଫିଲ୍ଡିଂ କରୁଥିଲେ ମୋର୍ଗାନ୍?

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ଖେଳାଯାଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତକୁ ୮ ୱିକେଟରେ ହରାଇ ସିରିଜରେ ୨-୧ରେ ଅଗ୍ରଣୀ ଲାଭ କରିଛି। ତେବେ ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନଙ୍କ ଡବଲ୍ କ୍ୟାପ୍ ପିନ୍ଧିବା ସମସ୍ତଙ୍କୁ ମନରେ ପ୍ରଶ୍ନ ଛିଡ଼ା କରିଛି।

ଭାରତୀୟ ଇନିଂସ ସମୟରେ ମୋର୍ଗାନଙ୍କୁ ଅଧିକାଂଶ ସମୟରେ ଡବଲ୍ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ମୋର୍ଗାନଙ୍କ ଏଭଳି କରିବାର କାରଣ କ’ଣ? କରୋନା ମହାମାରୀ ସମୟରେ ଆଇସିସିର ନୂଆ ନିୟମ ଅନୁଯାୟୀ, ମଇଦାନରେ ଖେଳାଳି ଓ ଅମ୍ପାୟାରଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିଥାଏ। ବୋଲିଂ ଚାଲିଥିବା ବେଳେ ଖେଳାଳି ନିଜର କୌଣସି ଜିନିଷ ଯେପରି କ୍ୟାପ୍, ସ୍ୱେଟର୍, ଚଷମା ଆଦିକୁ ଅମ୍ପାୟାର କିମ୍ବା ସାଥୀ ଖେଳାଳିଙ୍କୁ ଦେଇପାରିବେ ନାହିଁ। ସେମାନଙ୍କୁ ନିଜ ଜିନିଷକୁ ନିଜ ପାଖରେ ରଖିବାକୁ ପଡ଼ିବ। ଏଥିପାଇଁ ମୋର୍ଗାନ୍ ଫିଲ୍ଡିଂ ବେଳେ ବୋଲିଂ କରୁଥିବା ବୋଲରଙ୍କ କ୍ୟାପ୍ ନିଜେ ପିନ୍ଧିଥିଲେ।

ତେବେ କ୍ରିକେଟରେ ପ୍ରଥମଥର କୌଣସି ଖେଳାଳିଙ୍କୁ ଡବଲ୍ କ୍ୟାପ୍ ପିନ୍ଧୁଥିବାର ଦେଖିବାକୁ ମିଳିନାହିଁ। ଇଂଲଣ୍ଡ ଇନିଂସ୍ ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ମଧ୍ୟ ମ୍ୟାଚରେ ଡବଲ୍ କ୍ୟାପ୍ ପିନ୍ଧିଥିଲେ। ଏହାବ୍ୟତୀତ ଗତବର୍ଷ ୟୁଏଇରେ ଆୟୋଜିତ ଆଇପିଏଲ୍-୨୦୨୦ରେ ଅନେକ ଥର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଏବେ ଘରୋଇ ଦଳ ୧-୨ରେ ପଛୁଆ ରହିଛି। ସିରିଜର ଚତୁର୍ଥ ମ୍ୟାଚ୍ ଗୁରୁବାର ଖେଳାଯିବା। ଏହି ମ୍ୟାଚ୍ ପାଇଁ ଭାରତ ପାଇଁ ‘କର ବା ମର’ ହେବ। କାରଣ ମ୍ୟାଚ୍ ହାରିଲେ, ଭାରତ ହାତରୁ ସିରିଜ୍ ଚାଲିଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।