୫ ଟିମକୁ ନେଇ ମାର୍ଚ୍ଚରୁ ମହିଳା ଆଇପିଏଲ!

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ମହିଳା ଆଇପିଏଲ ୨୦୨୩ ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇପାରେ। ଏହାର ପ୍ରଥମ ସଂସ୍କରଣରେ ୫ଟି ଟିମ୍‌ ଭାଗନେବେ। ପିଟିଆଇରେ ଏନେଇ ଖବର ପ୍ରକାଶ ପାଇଛି। ୨୦୨୩ ପୁରୁଷ ଆଇପିଏଲ ପୂର୍ବରୁ ମହିଳାଙ୍କ ଆଇପିଏଲ କରିବାକୁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି।

ରିପୋର୍ଟ ଅନୁସାରେ, ମହିଳା ଆଇପିଏଲରେ ମୋଟ ୨୦ଟି ଲିଗ୍‌ ମ୍ୟାଚ୍‌ ରହିବ। ପ୍ରତି ଦଳ ପରସ୍ପର ସହ ଦୁଇଟି ଲେଖାଏ ମ୍ୟାଚ ଖେଳିବେ। ଲିଗ୍‌ ମ୍ୟାଚ୍‌ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଟିମ୍‌ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍‌ ପରସ୍ପରକୁ ଏଲିମିନେଟର୍‌ରେ ଭେଟିବେ। ସେମାନଙ୍କ ମଧ୍ୟରୁ ବିଜୟୀ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ପୁରୁଷ ଆଇପିଏଲର ନିୟମ ଅନୁଯାୟୀ, ଗୋଟିଏ ଟିମ୍‌ରେ ସର୍ବାଧିକ ୪ ଜଣ ବିଦେଶୀ ଖେଳାଳି ରହିପାରିବେ। ହେଲେ ମହିଳା ଟିମ୍‌ ପାଇଁ ଏହି ସଂଖ୍ୟା ୫ କରାଯାଇଛି। ଅର୍ଥାତ ଗୋଟିଏ ଟିମ୍‌ ସର୍ବାଧିକ ୫ ଜଣ ବିଦେଶୀ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇପାରିବ। ଘରୋଇ ଓ ଅନ୍ତର୍ଜାତୀୟ ଖେଳାଳିଙ୍କ ଯୁଗଳବନ୍ଦୀ ଏବଂ ପ୍ରତିଯୋଗିତାକୁ ଅଧିକ ଆକର୍ଷଣ କରିବା ପାଇଁ ୫ ବିଦେଶୀ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଟିମ୍‌ରେ ସର୍ବାଧିକ ୧୮ ଜଣ ଖେଳାଳି ରହିପାରିବେ। ସେହିପରି କୌଣସି ଟିମ୍‌ର ସ୍କ୍ୱାଡରେ ୬ରୁ ଅଧିକ ବିଦେଶୀ ଖେଳାଳି ରହିପାରିବା ନାହିଁ।

ଏହାବାଦ ଚୂଡ଼ାନ୍ତ ଏକାଦେଶରେ ୫ ଜଣ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେବାରେ ମଧ୍ୟ ସର୍ତ୍ତ ଲାଗୁ କରାଯାଇଛି। ଏହି ବିଦେଶୀ ଖେଳାଳିଙ୍କ ମଧ୍ୟରୁ କେବଳ ୪ ଜଣ ଆଇସିସିର ପୂର୍ଣ୍ଣ ସଦସ୍ୟତା ଲାଭ କରିଥିବା ଦେଶ ଓ ଆଉ ଜଣେ ଆସୋସିଏଟ ଦେଶର ସଦସ୍ୟ ଲାଭ କରିଥିବା ଖେଳାଳି ହେବା ଜରୁରୀ ବୋଲି ବିସିସିଆଇ ସୂତ୍ରରୁ ପିଟିଆଇ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।

ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ମହିଳା ବିଗ ବାଶ ଲିଗ ଓ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ଦି ହଣ୍ଡ୍ରେଡରେ କେବଳ ୩ ଜଣ ବିଦେଶୀ ଖେଳାଳି ଏବଂ ଟିମ୍‌ର ସଦସ୍ୟ ସଂଖ୍ୟା ୧୫ରେ ସୀମିତ ରହିଛି।

ଫେବୃଆରୀ ୯ରୁ ୨୫ ଯାଏ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହାପରେ ତୁରନ୍ତ ମହିଳା ଆଇପିଏଲ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।