ଯୁବରାଜଙ୍କ ଛକା ବର୍ଷା, ସଚିନଙ୍କ ବିସ୍ଫୋରକ ବ୍ୟାଟିଂ

ରାୟପୁର: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିଲେ ହେଁ ସଚିନ୍ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ପାଖରେ ସେହି ପୁରୁଣା ଚମକ ରହିଛି। ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ପ୍ରଥମ ସେମିଫାଇନାଲରେ ସଚିନ୍ ଓ ଯୁବରାଜଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ବିପକ୍ଷ ଏହି ମ୍ୟାଚରେ ଯୁବରାଜ ଛକା ବର୍ଷା କରିଥିବା ବେଳେ ସଚିନ୍ ଖେଳିଛନ୍ତି ବିସ୍ଫୋରକ ଇନିଂସ୍। ଦୁହିଁଙ୍କ ଏହି ଇନିଂସ୍ ବଳରେ ଇଣ୍ଡିଆ ଲିଜେଣ୍ଡସ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୮ ରନର ବିଶାଳ ସ୍କୋର ଛିଡ଼ା କରିଛି।

ଭାରତ ପକ୍ଷରୁ ସଚିନ୍ ସର୍ବାଧିକ ୬୫ (୪୨ ବଲ୍) ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୬ ଚୌକା ଓ ୩ ଛକା ସାମିଲ୍ ଅଛି। ସଚିନଙ୍କ ବ୍ୟତୀତ ବାକି ବ୍ୟାଟ୍ସମାନ୍ ମଧ୍ୟ ଆବଶ୍ୟକ ଯୋଗଦାନ କରିଛନ୍ତି। ସଚିନ୍ ନିଜର ଓପନିଂ ପାର୍ଟନର୍ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ସେହ୍ୱାଗ ୧୭ ବଲରେ ୫ ଚୌକା ଓ ୧ ଛକା ସହ ୩୫ ରନ୍ କରିଛନ୍ତି।

ମହମ୍ମଦ କୈଫ୍ ମଧ୍ୟ ୨୦ ବଲରେ ଦ୍ରୁତ ୨୭ (୨ ଚୌକା, ୨ ଛକା) ରନର ଯୋଗଦାନ କରିଥିଲେ। ତେବେ ସ୍ଲଗ୍ ଓଭରରେ ଯୁବରାଜଙ୍କ ଭରପୂର ସାଥ୍ ଦେଇଥିଲେ ୟୁସୁଫ୍ ପଠାନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୩୫ ବଲରେ ୭୮ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୨୧୮ ରନରେ ପହଞ୍ଚାଇଛନ୍ତି। ଯୁବରାଜ ମାତ୍ର ୨୦ ବଲରେ ୪୯ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଚୌକା ଓ ୬ଟି ଛକା ସାମିଲ୍ ଅଛି। ସେହିପରି ୟୁସୁଫ୍ ୨୦ ବଲର ସାମ୍ନା କରି ୨ ଚୌକା ଓ ୩ ଛକା ସହ ୩୭ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ପକ୍ଷରୁ ଟିନୋ ବେଷ୍ଟ ୨୫ ରନ୍ ଦେଇ ୨ଟି ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଯୁବରାଜ ଓ ସଚିନ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଲିଗ୍ ମ୍ୟାଚରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ସଚିନ୍ ଉକ୍ତ ମ୍ୟାଚରେ ୩୭ ବଲରେ ୬୦ ରନ୍ କରିଥିବା ବେଳେ ଯୁବରାଜ ମାତ୍ର ୨୨ ବଲରେ ୫୨ ରନ୍‌ର ଇନିଂସ୍ ଖେଳିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।