ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ, ରାଜସ୍ଥାନ ପାଇଁ ପୁଣି ଓପନ କରିବେ ଷ୍ଟୋକ୍ସ

ଦୁବାଇ: ଆଇପିଏଲର ୩୦ତମ ମ୍ୟାଚ୍‌ରେ ପୁଣିଥରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ। ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବ। ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଦୁଇ ଦଳ ସାମ୍ନାସାମ୍ନି ହେଉଛନ୍ତି। ପୂର୍ବ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪୬ ରନ୍‌ରେ ବିଜୟୀ ହୋଇଥିଲା। ତେଣୁ ଦୁବାଇରେ ରାଜସ୍ଥାନ ଏହାର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି।

ଆଜି ଦିଲ୍ଲୀ ଟିମ୍‌ରେ ଗୋଟିଏ ପରିବର୍ତ୍ତନ ହୋଇଛି। ଦଳ ହର୍ଷଲ ପଟେଲଙ୍କୁ ବାଦ୍‌ ଦେଇ ତୁଷାର ଦେଶପାଣ୍ଡେଙ୍କୁ ସୁଯୋଗ ଦେଇଛି। ଚଳିତ ଆଇପିଏଲରେ ଏହା ତୁଷାରଙ୍କ ପ୍ରଥମ ମ୍ୟାଚ୍‌। ସେହିପରି ରାଜସ୍ଥାନ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ପୂର୍ବ ମ୍ୟାଚ୍‌ ଭଳି ଆଜି ମଧ୍ୟ ବେନ ଷ୍ଟୋକ୍ସ ରାଜସ୍ଥାନ ପାଇଁ ଇନିଂସ ଆରମ୍ଭ କରିବେ ବୋଲି ଅଧିନାୟକ ଷ୍ଟିଭ ସ୍ମିଥ ସ୍ପଷ୍ଟ କରିଛନ୍ତି। ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ୭ ନମ୍ବର ସ୍ଥାନରେ ଥିବା ବେଳେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।