ଧୱନ୍ ଓ ବିରାଟ ଧମାକା, ଟିମ୍ ଇଣ୍ଡିଆ ୩୫୨/୫

ଲଣ୍ଡନ: ଚଳିତ ବିଶ୍ୱକପର ସୁପର ସଣ୍ଡେରେ ଆଜି ଏକ ହାଇଭୋଲ୍ଟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନର ବିଶାଳ ସ୍କୋର କରିଛି। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରିଥିଲା। ଫଳରେ ଏହି ମ୍ୟାଚକୁ ଜିତିବା […]

ind

ind

Hemant Lenka
  • Published: Sunday, 09 June 2019
  • Updated: 09 June 2019, 06:58 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପର ସୁପର ସଣ୍ଡେରେ ଆଜି ଏକ ହାଇଭୋଲ୍ଟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନର ବିଶାଳ ସ୍କୋର କରିଛି। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରିଥିଲା। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୫୩ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ଏହି ମ୍ୟାଚରେ ଶିଖର ଧୱନ୍ ଶତକ ହାସଲ କରିଥିବା ବେଳେ ଅଧିନାୟକ ବିରାଟ କୋହଲି (୮୨) ଓ ରୋହିତ୍ ଶର୍ମା (୫୭) ଅର୍ଦ୍ଧଶତକ ମାରିଛନ୍ତି। ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଧୋନି ଦ୍ରୁତ ରନ୍ ଦ୍ୱାରା ଭାରତ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ଧୱନ୍ ୧୦୯ ବଲରେ ୧୬ ଚୌକା ସହ ୧୧୭ ରନ୍ କରି ଆଉଟ୍ ହୋଇଥିଲେ।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଦୁଇ ଓପ୍ନର ରୋହିତ୍ ଓ ଧୱନ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ୧୦ ଓଭର ସୁଦ୍ଧା ଭାରତର ସ୍କୋରକୁ ୪୧ ରନରେ ପହଞ୍ଚାଇଥିଲେ। ଏହା ପରେ ଦୁହେଁ ଗିୟର ବଦଳାଇଥିଲେ ଏବଂ ଅଷ୍ଟ୍ରେଲିଆ ବୋଲରଙ୍କ ବିରୋଧରେ ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ।

ଏହା ପରେ ଦୁହେଁ ୧୯ତମ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଏହା ମଧ୍ୟରେ ଧୱନ୍ ୫୩ ବଲରେ ଏବଂ ରୋହିତ୍ ୬୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତଙ୍କୁ ନେଥନ କୁଲ୍ଟର-ନାଇଲ୍ ଆଉଟ୍ କରିଥିଲେ। ରୋହିତ୍ ୭୦ ବଲରେ ୩ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟତମ ଓପ୍ନର ଧୱନଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ ବିରାଟ। ଦୁହେଁ ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଧୱନ୍ ୯୫ ବଲରେ ନିଜର ୧୭ତମ ଶତକ ମାରିଥିଲେ।

ଏହା ପରେ ଧୱନ୍ ଦ୍ରୁତ ରନ୍ କରିବା ପ୍ରୟାସରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ବଦଳ ଖେଳାଳି ନେଥନ ଲାୟନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଧୱନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। ସେ ବିରାଟଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୮୧ ରନର ଭାଗୀଦାରୀ କରିଥିଲେ। ପାଣ୍ଡ୍ୟା ୨୭ ବଲରେ ୪ ଚୌକା ଓ ୩ ଛକା ସହ ୪୮ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ।

ଧୋନି ମଧ୍ୟ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ବୋଲରଙ୍କୁ ଆକ୍ରମଣ କରିଥିଲେ। ସେ ମାତ୍ର ୧୪ ବଲରେ ୩ ଚୌକା ଓ ୧ ଛକା ସହ ୨୭ ରନ୍ କରି ଆଉଟ୍ ହୋଇଥିଲେ। ଲୋକେଶ ରାହୁଲ ୩ ବଲରେ ୧ ଚୌକା ଓ ୧ ଛକା ସହ ଅପରାଜିତ ୧୧ ରନ୍ କରିଥିଲେ । ଭାରତର ପଞ୍ଚମ ୱିକେଟ୍ ପାଇଁ ବିରାଟ୍ ଆଉଟ୍ ହୋଇଥିଲେ। ସେ ୭୭ ବଲରେ ୪ ଚୌକା ଓ ୨ ଛକା ସହ ୮୨ ରନ୍ କରି ମାର୍କସ ଷ୍ଟୋଇନିସଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋଇନିସ୍ ୨ଟି, କମିନ୍ସ, ଷ୍ଟାର୍କ ଓ କୁଲ୍ଟର-ନାଇଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos