ଅଷ୍ଟ୍ରେଲିଆ ଓପନ୍‌ ଜିତି ଇତିହାସ ରଚିଲେ ଜୋକୋଭିଚ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନ୍‌ ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ହୋଇଛନ୍ତି ସର୍ବିଆର ତାରକା ଟେନିସ୍‌ ତାରକା ତଥା ବିଶ୍ୱର ନଂ ୧ ଖେଳାଳି ନୋଭାକ୍‌ ଜୋକୋଭିଚ୍‌। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ୍‌ ମୁକାବିଲାରେ ସ୍ପେନ୍‌ ତାରକା ତଥା ବିଶ୍ୱର ୨ ନଂ ଟେନିସ୍‌ ଖେଳାଳି ରାଫେଲ୍‌ ନାଡାଲଙ୍କୁ ପରାସ୍ତ କରି ଚଳିତ ବର୍ଷ ଟ୍ରଫି ଅର୍ଜ୍ଜନ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ହିଁ ଜୋକୋଭିଚ୍‌ ଜବରଦସ୍ତ ପ୍ରଦର୍ଶନ କରି ନାଡାଲ୍‌ଙ୍କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ପ୍ରଥମ ସେଟ୍‌କୁ ୬-୩ରେ ଜିତିଥିବା ଜୋକୋଭିଚ୍‌ ଦ୍ୱିତୀୟ ସେଟ୍‌କୁ ଅତି ସହଜରେ ୬-୨ରେ ଜିତି ନେଇଥିଲେ। ୫ ସେଟ୍‌ ବିଶିଷ୍ଟ ଏହି ଫାଇନାଲ୍‌ ମୁକାବିଲାକୁ ଶୀଘ୍ର ସାରିବା ମୁଡ୍‌ରେ ଥିବା ଜୋକୋଭିଚ୍‌ ତୃତୀୟ ସେଟ୍‌କୁ ମଧ୍ୟ ୬-୩ରେ ଜିତି ମ୍ୟାଚ୍‌ ଶେଷ କରି ଦେଇଥିଲେ।

ଫଳରେ ୨୦୧୨ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ନେଇ ମ୍ୟାଚ୍‌ ଖେଳୁଥିବା ନାଡାଲଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା। ୨୦୧୨ ଅଷ୍ଟ୍ରେଲିଆ ଓପନ୍‌ରେ ନାଡାଲ୍‌ ଓ ଜୋକୋଭିଚ୍‌ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟି ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ବେଳେ ଜୋକଭିଚ୍‌ ହିଁ ଚାମ୍ପିୟନ ହୋଇଥିଲେ।

ଆଜିର ବିଜୟ ସହ ଜୋକୋଭିଚ୍‌ ୭ମଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ଜିତିବାର ରେକର୍ଡ କରିଛନ୍ତି। ପୂର୍ବରୁ ରୋଜର ଫେଡରର୍‌ ଓ ରୟ ଇମରସନ୍‌ ୬ଥର ଲେଖାଏ ଅଷ୍ଟ୍ରେଲିଆ ଓପନ୍‌ ଜିତିବାର ରେକର୍ଡ କରିଥିଲେ। କିନ୍ତୁ ଆଜି ଏମାନଙ୍କୁ ଜୋକୋଭିଚ୍‌ ପଛରେ ପକାଇ ଦେଇଛନ୍ତି।