କରୋନାରେ ଆକ୍ରାନ୍ତ ହେଲେ ଏହି ଷ୍ଟାର ଇଂଲିଶ ଅଲରାଉଣ୍ଡର

ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଇଂଲଣ୍ଡ ଆଣ୍ଡ ୱାଲେସ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଆସିଥିବା ଇଂଲଣ୍ଡ ସ୍କ୍ୱାଡରେ ମୋଇନ ଅଲୀ ରହିଥିଲେ।

ନିୟମ ଅନୁସାରେ ସବୁ ଖେଳାଳିଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଅନ୍ୟ ସମସ୍ତ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଶ୍ରୀଲଙ୍କା ସରକାର ପ୍ରଣୟନ କରିଥିବା ନିୟମ ଅନୁଯାୟୀ ସେ ୧୦ ଦିନ ଆଇସୋଲେସନରେ ରହିବେ।

ସେହିପରି ମୋଇନ ଅଲୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା କ୍ରିସ ୱକ୍ସ ମଧ୍ୟ ସେଲଫ ଆଇସୋଲେସନରେ ରହିବେ। ତାଙ୍କର ଆଉ ଥରେ କରୋନା ଟେଷ୍ଟ କରାଯିବ। ଅନ୍ୟ ସମସ୍ତ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କର ମଙ୍ଗଳବାର ଦ୍ୱିତୀୟଥର କରୋନା ଟେଷ୍ଟ କରାଯିବ। ଏହାପରେ ବୁଧବାର ନେଗେଟିଭ ରିପୋର୍ଟ ଆସିଥିବା ଖେଳାଳିମାନେ ଜୈବ ବଳୟରେ ପ୍ରବେଶ କରି ଅଭ୍ୟାସ ଆରମ୍ଭ କରିବେ ବୋଲି ଇସିବି କହିଛି।

ଆସନ୍ତା ୧୪ ତାରିଖରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ସେହିପରି ଜାନୁଆରୀ ୨୨ରୁ ୨୬ ଯାଏ ଦ୍ୱିତୀୟ ଟେଷ୍ଟ ଆୟୋଜନ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।