ରୁଟ୍‌ଙ୍କ ଧୂଆଁଧାର ଶତକରେ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ୍: ଜୋ ରୁଟଙ୍କ ଆକର୍ଷଣୀୟ ଶତକ ଏବଂ ଦମଦାର ବୋଲିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ୱିକେଟ୍ ହରାଇ […]

root1

root1

Hemant Lenka
  • Published: Friday, 14 June 2019
  • Updated: 14 June 2019, 09:48 PM IST

Sports

Latest News

ସାଉଥାମ୍ପଟନ୍: ଜୋ ରୁଟଙ୍କ ଆକର୍ଷଣୀୟ ଶତକ ଏବଂ ଦମଦାର ବୋଲିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ୱିକେଟ୍ ହରାଇ ୨୧୩ ରନ୍ କରି ସହଜ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ରୁଟ୍ ସର୍ବାଧିକ ୧୦୦* ରନ୍ (୯୪ ବଲ୍, ୧୧ ଚୌକା) କରି ମ୍ୟାନ୍ ଅଫ୍ ମ୍ୟାଚ୍ ବିବେଚିତ ହୋଇଛନ୍ତି।

୨୧୩ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ଲାଇନରେ ପରିବର୍ତ୍ତନ କରିଥିଲା। ଜେସନ୍ ରୟଙ୍କ ବଦଳରେ ରୁଟ୍ ଜନ୍ନି ବେୟାରଷ୍ଟୋଙ୍କ ସହ ଓପନ୍ କରିଥିଲେ । ରୁଟ୍ ଓ ବେୟାରଷ୍ଟୋ ପ୍ରଥମ ୱିକେଟ୍ ପାଇଁ ୯୫ ରନ୍ ଯୋଡ଼ିଥିଲେ। ବେୟାଷ୍ଟୋ ୪୫ (୪୬ ବଲ, ୭ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ରିସ୍ ଓକ୍ସ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ରୁଟଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୦୪ ରନର ଶତକୀୟ ଭାଗୀଦାରୀ କରିଥିଲେ। ଓକ୍ସ ୪୦ (୫୪ ବଲ୍, ୪ ଚୌକା) ରନ୍ କରି ଶ୍ୟାନନ୍ ଗାବ୍ରିଏଲଙ୍କ ବଲରେ ଆଉଟ୍ ହୋଇଥିଲେ। ରୁଟଙ୍କ ସହ ବେନ୍ ଷ୍ଟୋକ୍ସ (୧୦*) ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଗାବ୍ରିଏଲ୍ ଦୁଇଟି ଯାକ ୱିକେଟ୍ ନେଇଥିଲେ।

ପୂର୍ବରୁ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରତ୍ୟାବର୍ତ୍ତନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ୨ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଅନ୍ୟତମ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ଲିଆମ୍ ପ୍ଲଙ୍କେଟ୍ ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ।

ଗେଲ୍ ୪୧ ବଲରେ ୫ ଚୌକା ଓ ୧ ଛକା ସହ ୩୬ ରନ୍ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାଇ ହୋପ୍ (୧୧) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହି ସମୟରେ ୱେଷ୍ଟଇଣ୍ଡିଜ୍ ୩ ୱିକେଟରେ ୫୫ ରନ୍ କରି ସଙ୍କଟରେ ପଡ଼ିଥିଲା। କିନ୍ତୁ ପୂରାନ୍ ଓ ହେଟମେୟର୍ ଚତୁର୍ଥ ୱିକେଟ୍ ପାଇଁ ୮୯ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଏହି ସେଟ୍ ଯୋଡ଼ିକୁ ଜୋ ରୁଟ୍ ଭାଙ୍ଗିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୧୨ ରନରେ ଅଲଆଉଟ୍ ହୋଇଯାଇଥିଲା।

ପୂରାନ୍ ସର୍ବାଧିକ ୬୩ (୭୮ ବଲ୍, ୩ ଚୌକା, ୧ ଛକା), ହେଟମେୟର୍ ୩୯, ଆନ୍ଦ୍ରେ ରସେଲ୍ ୨୧, କାର୍ଲସ୍ ବ୍ରାଥୱେଟ୍ ୧୪ ଓ ଅଧିନାୟକ ଜେସନ୍ ହୋଲ୍ଡର ୯ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡର ସଫଳ ବୋଲର ଭାବେ ଜୋଫ୍ରା ଆର୍ଚର୍ ଓ ମାର୍କ ଉଡ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି, ଓକ୍ସ ଓ ପ୍ଲଙ୍କେଟ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos