ଅଷ୍ଟ୍ରେଲିଆକୁ ୨୨୩ ରନରେ ରୋକିଲା ଇଂଲଣ୍ଡ

ବର୍ମିଂହାମ୍: ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ରିସ୍ ଓକ୍ସ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ କରିଛି।

ଫଳରେ ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ ଇଂଲଣ୍ଡକୁ ୨୨୪ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ଏକାକୀ ଲଢ଼ିଥିବା ବେଳେ ତାଙ୍କୁ ମଧ୍ୟକ୍ରମରେ ୱିକେଟକିପର ଆଲେକ୍ସ କ୍ୟାରି ଭଲ ସହଯୋଗ କରିଥିଲେ, ଯେଉଁକାରଣରୁ ଟିମ୍ ସ୍କୋର ଟପିଥିଲା। ସ୍ମିଥ୍ ୧୧୯ ବଲରେ ୬ ଚୌକା ସହ ୮୫ ରନ୍ କରିଥିଲେ।

ଏଜବାଷ୍ଟନରେ ଖେଳାଯାଇଥିବା ଏହି ମୁକାବିଲା ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା। ଟିମର ଦୁଇ ଇନଫର୍ମ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଇଂଲଣ୍ଡର ଷ୍ଟାର୍ ପେସର ଜୋଫ୍ରା ଆର୍ଚର୍ ଫିଞ୍ଚଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଟପ୍ ସ୍କୋରର ୱାର୍ଣ୍ଣର୍ ମାତ୍ର ୯ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ଦୁଇ ଓପ୍ନରଙ୍କ ଆଉଟ୍ ପରେ ଏବେ ସବୁ ଦାୟିତ୍ୱ ଷ୍ଟିଭେନ୍ ସ୍ମିଥ୍ ଓ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ଉପରକୁ ଚାଲିଆସିଥିଲା। ଉସମାନ୍ ଖୱାଜାଙ୍କ ସ୍ଥାନରେ ଖେଳୁଥିବା ପିଟର୍ ହ୍ୟାଣ୍ଡସ୍କମ୍ବ୍ ମାତ୍ର ୪ ରନ୍ କରି ଓକ୍ସଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହି ସମୟରେ ଟିମକୁ ଏଭ ଭଲ ପାର୍ଟରନଶିପର ଆବଶ୍ୟକ ହେଉଥିଲା, ଯାହାକୁ ପୂରଣ କରିଥିଲେ ସ୍ମିଥ୍ ଓ କ୍ୟାରି। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଲଢ଼ୁଆ ଶତକୀୟ (୧୦୩) ଭାଗୀଦାରୀ କରି ଅଷ୍ଟ୍ରେଲିଆର ସମ୍ମାନ ରକ୍ଷା କରିଥିଲେ। କ୍ୟାରି (୪୬) ଆହତ ହେବା ସତ୍ତ୍ୱେ ଭଲ ବ୍ୟାଟିଂ କରିଥିଲେ ହେଁ ୪ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ ଖାତା ଖୋଲିପାରିନଥିଲେ।

ଗ୍ଲେନ୍ ମ୍ୟାକ୍ସୱେଲ୍ (୨୨) ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ଟିମର ସ୍କୋରକୁ ଆଗକୁ ବଢ଼ାଇଥିଲେ। କିନ୍ତୁ ତାଙ୍କୁ ଆର୍ଚର ଆଉଟ୍ କରିବାରେ ସଫଳ ହୋଇଥିଲେ। ପ୍ୟାଟ୍ କମିନ୍ସ (୬) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିବା ବେଳେ ମିଚେଲ୍ ଷ୍ଟାର୍କ (୨୯) ଭଲ ବ୍ୟାଟିଂ କରିଥିଲେ। ସ୍ମିଥ୍ ଓ ଷ୍ଟାର୍କ ଅଷ୍ଟମ ୱିକେଟ୍ ପାଇଁ ମହତ୍ତ୍ୱପୂର୍ଣ୍ଣ ୫୧ ରନର ପାର୍ଟନରଶିପ୍ କରିଥିଲେ। ସ୍ମିଥ୍ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ଅଷ୍ଟ୍ରେଲିଆ ଆଉ ୬ ରନ୍ ଯୋଡ଼ି ତା’ର ଶେଷ ଦୁଇଟି ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା। ଶେଷ ୱିକେଟ୍ ଭାବେ ଜେସନ୍ ବେହରନଡର୍ଫ (୧)ଙ୍କୁ ମାର୍କ ଉଡ୍ ଆଉଟ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଓକ୍ସ ଓ ରଶିଦ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଆର୍ଚର୍ ୨ଟି ଓ ଉଡ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ।