ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ

ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। […]

bairstow

bairstow

Hemant Lenka
  • Published: Sunday, 30 June 2019
  • Updated: 30 June 2019, 06:53 PM IST

Sports

Latest News

ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ।

ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ମଝି ଓଭରରେ ମହମ୍ମଦ ଶାମି ଲଗାତାର ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ରନରେ ଅଙ୍କୁଶ ଲଗାଇଥିଲେ। କିନ୍ତୁ ଶେଷ ୧୦ ଓଭରରେ ବେନ୍ ଷ୍ଟୋକ୍ସ ଦ୍ରୁତ ରନ୍ କରି ଇଂଲଣ୍ଡକୁ ସ୍କୋରକୁ ୩୩୭ ରନରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ ୧୧୧ (୧୦୯ ବଲ୍, ୧୦ ଚୌକା, ୬ ଛକା) ରନ୍ କରିଥିଲେ। ଷ୍ଟୋକ୍ସ ୫୪ ବଲରେ ୬ ଚୌକା ଓ ୩ ଛକା ସହ ଦ୍ରୁତ ୭୯ ରନ୍ କରିଥିଲେ।

ଏଜବାଷ୍ଟନରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଅନୁକୂଳ ଏହି ପିଚରେ ଇଂଲଣ୍ଡର ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ଜେସନ୍ ରୟ ଭାରତୀୟ ବୋଲରଙ୍କୁ ପ୍ରଥମରୁ ହିଁ ଆକ୍ରମଣ କରିଥିଲେ। ଦୁହେଁ ୧୦ ଓଭର ସୁଦ୍ଧା ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକ ସ୍କୋରକୁ ବିନା ୪୭ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହା ପରେ ଦୁହେଁ ଗିୟର ବଦଳାଇଥିଲେ ଏବଂ ୧୫.୩ ଓଭରରେ ଟିମକୁ ୧୦୦ ରନରେ ପହଞ୍ଚାଇଥିଲେ।

ବେୟାରଷ୍ଟୋ ୫୬ ବଲରେ ଏବଂ ରୟ ମାତ୍ର ୪୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ବେୟାରଷ୍ଟୋ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ୨୦.୧ ଓଭରରେ ଟିମ୍ ସ୍କୋରକୁ ୧୫୦ ରନରେ ପହଞ୍ଚାଇଥିଲେ। ପୂର୍ବ ମ୍ୟାଚ୍ ଗୁଡ଼ିକରେ ଭାରତକୁ ସଫଳତା ଦେଇଥିବା ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ନିରାଶ କରିଥିଲେ।

ବିଶେଷକରି ଚହଲଙ୍କୁ ଇଂଲିଶ ବ୍ୟାଟ୍ସମ୍ୟାନ୍ ଅଧିକ ଟାର୍ଗେଟ୍ କରିଥିବା ବେଳେ କୁଲଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ରୟ ଛକା ମାରିବାକୁ ପ୍ରୟାସ କରି ବାଉଣ୍ଡ୍ରୀରେ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଧରା ପଡ଼ିଥିଲେ। ଆଉଟ୍ ହେବା ପୂର୍ବରୁ ସେ ବେୟାରଷ୍ଟୋଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଥିଲେ। ରୟ ୫୭ ବଲରେ ୭ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜୋ ରୁଟ୍ ମଧ୍ୟ ବେୟାରଷ୍ଟୋଙ୍କୁ ଭରପୂର ସହଯୋଗ କରିଥିଲେ।

ବେୟାରଷ୍ଟୋ ୯୦ ବଲରେ ନିଜର ଅଷ୍ଟମ ଦିନିକିଆ ଶତକ ପୂରଣ କରିବା ପରେ ବେଶୀ କ୍ରିଜରେ ବିତାଇପାରି ନଥିଲେ। ତାଙ୍କୁ ମହମ୍ମଦ ଶାମି ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। କ୍ୟାପଟେନ୍ ମୋର୍ଗାନ୍ (୧)ଙ୍କୁ ଶାମି ନିଜର ଶିକାର ବନାଇଥିଲେ। ଏହା ପରେ ଇଂଲଣ୍ଡ ରନ୍ ଗତିରେ ଅଙ୍କୁଶ ଲାଗିଥିଲା। ୩୦ରୁ ୪୦ ଓଭର ମଧ୍ୟରେ ଇଂଲଣ୍ଡ ୨ ୱିକେଟ୍ ହରାଇ ୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା।

ରୁଟ୍ ୪୪ (୫୪ ବଲ୍) ରନ୍ କରି ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। ଜୋସ୍ ବଟ୍ଟଲର୍ ୮ ବଲରେ ଦ୍ରୁତ ୨୦ (୧ ଚୌକା, ୨ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଷ୍ଟୋକ୍ସ ଜବରଦସ୍ତ ବ୍ୟାଟିଂ କରି ଇଂଲଣ୍ଡକୁ ବଡ଼ ସ୍କୋର ଦେଇଥିଲେ । ଶେଷ ୧୦ ଓଭରରେ ଇଂଲଣ୍ଡ ୯୨ ରନ୍ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ଶାମି ୬୯ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos