ବୃହତ ବିଜୟ ସହ ଶୀର୍ଷକୁ ଉଠିଲା ଇଂଲଣ୍ଡ

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଆୟୋଜକ ଇଂଲଣ୍ଡ ୧୫୦ ରନର ବୃହତ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହ ଇଂଲଣ୍ଡ ୫ ମ୍ୟାଚରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷକୁ ଉଠିଛି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୯୭ ରନ୍ କରିଥିଲା, ଯାହା ଚଳିତ ବିଶ୍ୱକପର ସର୍ବାଧିକ ସ୍କୋର। […]

eng

eng

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 10:47 PM IST

Sports

Latest News

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଆୟୋଜକ ଇଂଲଣ୍ଡ ୧୫୦ ରନର ବୃହତ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହ ଇଂଲଣ୍ଡ ୫ ମ୍ୟାଚରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷକୁ ଉଠିଛି।

ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୯୭ ରନ୍ କରିଥିଲା, ଯାହା ଚଳିତ ବିଶ୍ୱକପର ସର୍ବାଧିକ ସ୍କୋର। ଏହା ପୂର୍ବରୁ ଇଂଲଣ୍ଡ ବାଂଲାଦେଶ ବିପକ୍ଷରେ ୩୮୬ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଇଆନ୍ ମୋର୍ଗାନ୍ ମାତ୍ର ୭୧ ବଲରେ ୧୭ ଛକା ଓ ୪ ଛକା ସହ ୧୪୮ ରନର ମାରାଥନ୍ ଇନିଂସ୍ ଖେଳିଥିବାବେଳେ ଜନ୍ନି ବେୟାରଷ୍ଟୋ (୯୦) ଓ ଜୋ ରୁଟ୍ (୮୮) ଶତକରୁ ବଞ୍ଚିତ ହୋଇଥିଲେ। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ଏହି ବିଶାଳ ଲକ୍ଷ୍ୟ ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୭ ରନ୍ କରିବାକୁ ସକ୍ଷମ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ଦ୍ୱିତୀୟ ଓଭରରେ ଓପ୍ନର ନୁର୍ ଅଲୀ ଜର୍ଦ୍ଦାନ୍ (୦)ଙ୍କ ୱିକେଟ୍ ହରାଇଥିଲା। ତେବେ ଟିମର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ୫୦ ଓଭର ପୂରଣ କରିବାକୁ ପ୍ରୟାସ କରିଥିଲେ। ଅଧିନାୟକ ଗୁଲବଦିନ୍ ନାଏବ ଦ୍ରୁତ ୩୭ (୨୮ ବଲ୍) ରନ୍ କରିଥିବା ବେଳେ ରେହମତ୍ ଶାହ ୪୬, ହଶମତୁଲ୍ଲା ଶାହିଦି ୭୬, ଅସଘର ଆଫଗାନ୍ ୪୪ ରନ୍ କରି ଆଫଗାନିସ୍ତାନର ସମ୍ମାନ ରକ୍ଷା କରିଥିଲେ। ଶେଷଭାଗରେ ମହମ୍ମଦ ନବି (୯), ନାଜିବୁଲ୍ଲା ଜର୍ଦ୍ଦାନ୍ ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ୍ ରଶିଦ୍ ଓ ଜୋଫ୍ରା ଆର୍ଚର୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆହତ ଜେସନ୍ ରୟଙ୍କ ସ୍ଥାନରେ ଖେଳୁଥିବା ଜେମ୍ସ ଭିନ୍ସ ଜନ୍ନି ବେୟାରଷ୍ଟୋଙ୍କ ସହ ଓପନ୍ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ଧିମା ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୪୪ ରନ୍ ଯୋଡ଼ିଥିଲେ। ଭିନ୍ସ ସୁଯୋଗର ଫାଇଦା ଉଠାଇ ନପାରି ମାତ୍ର ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଇନଫର୍ମ ବେୟାରଷ୍ଟୋ ଓ ରୁଟ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୧୨୦ ରନର ଶତକୀୟ ଭାଗୀଦାରୀ କରିଥିଲେ।

ବେୟାରଷ୍ଟୋ ୬୧ ବଲରେ ଏବଂ ରୁଟ୍ ୫୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଇଂଲଣ୍ଡର ସ୍କୋର ୧୬୪ ଥିବା ବେଳେ ବେୟାରଷ୍ଟୋଙ୍କୁ କ୍ୟାପଟେନ୍ ଗୁଲବଦିନ୍ ନାଏବ ଆଉଟ୍ କରିଥିଲେ। ବେୟାରଷ୍ଟୋ ୯୯ ବଲରେ ୮ ଚୌକା ଓ ୩ ଛକା ସହ ୯୦ ରନ୍ କରି ଶତକରୁ ବଞ୍ଚିତ ଥିଲେ। ଏହା ପରେ ରୁଟଙ୍କ ସାଥ୍ ଦେବା ପାଇଁ ଆସିଥିଲେ ମୋର୍ଗାନ୍। ମୋର୍ଗାନ୍ ଆରମ୍ଭରୁ ହିଁ ଆଫଗାନିସ୍ତାନ ବୋଲରଙ୍କ ଉପରେ ଚାପ ପକାଇଥିଲେ। ମୋର୍ଗାନ୍ ବିଶେଷକରି ଆଫଗାନିସ୍ତାନର ଷ୍ଟାର୍ ସ୍ପିନର ରଶିଦ୍ ଖାନଙ୍କୁ ଅଧିକ ଟାର୍ଗେଟ୍ କରିଥିଲେ।

ମୋର୍ଗାନ୍ ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସମୟରେ ରୁଟଙ୍କ ସ୍କୋର ମୋର୍ଗାନଙ୍କଠାରୁ ଅଧିକ ଥିଲା। କିନ୍ତୁ ମୋର୍ଗାନ୍ ଟପ୍ ଗିଅରରେ ବ୍ୟାଟିଂ କରି ଛକା ବର୍ଷା କରିଥିଲେ। ଏହିପରି ଭାବେ ସେ ୫୭ ବଲରେ ନିଜର ୧୩ତମ ଦିନିକିଆ ଶତକ ପୂରଣ କରି ଇଂଲଣ୍ଡକୁ ବିଶାଳ ସ୍କୋର ଆଡକୁ ନେଇଥିଲେ। ଏହା ମଧ୍ୟରେ ରୁଟ୍ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ ହେଁ, ଏଥିରେ ସେ ବିଫଳ ହୋଇଥିଲେ। ରୁଟ୍ ୮୨ ବଲରେ ୫ ଚୌକା ଓ ୧ ଛକା ସହ ୮୮ ରନ୍ କରି ନାଏବଙ୍କ ଶିକାର ହୋଇଥିଲେ।

ଏହା ପରେ ମୋର୍ଗାନଙ୍କୁ ମଧ୍ୟ ନାଏବ ଆଉଟ୍ କରି ଇଂଲଣ୍ଡ ରନ ଗତିରେ ସାମାନ୍ୟ ଅଙ୍କୁଶ ଲଗାଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର୍ (୨) ଓ ବେନ୍ ଷ୍ଟୋକ୍ସ (୨) ନିରାଶ କରିଥିଲେ। ଶେଷଭାଗରେ ମୋଇନ୍ ଅଲୀ ଚମତ୍କାର ବ୍ୟାଟିଂ କରି ମାତ୍ର ୯ ବଲରେ ଦ୍ରୁତ ୩୧ (୧ ଚୌକା, ୪ ଛକା) ରନ୍ କରି ଇଂଲଣ୍ଡକୁ ୩୯୭ ରନରେ ପହଞ୍ଚାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଦୌଲତ ଜର୍ଦ୍ଦାନ୍ ଓ ନାଏବ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଏହି ରଶିଦ୍ ଖାନ୍ ବ୍ୟୟବହୁଳ ବ୍ୟୟବହୁଳ ସାବ୍ୟସ୍ତ ହୋଇ ୯ ଓଭରରେ ୧୧୦ ରନ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos