ଜୋକଭିଚ୍‌ଙ୍କ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ କିଏ? ନାଡାଲ ନା ଫେଡେରର୍‌

ଲଣ୍ଡନ: ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ ଜୋକଭିଚ୍‌ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସ୍ୱତନ୍ତ୍ର ସାକ୍ଷାକାର ଦେଇ ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ କିଏ ତା’ର ଉତ୍ତର ଦେଇଛନ୍ତି। ବିଶ୍ୱର ଅନ୍ୟତମ ଦୁଇ ଷ୍ଟାର ଟେନିସ ଖେଳାଳି ରୋଜର ଫେଡରର ଓ ରାଫେଲ ନାଡାଲଙ୍କ ମଧ୍ୟରୁ ଜୋକଭିଚ୍‌ କାହାକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବନନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତର ଦେଇ ସେ କହିଛନ୍ତି, ଫେଡରର୍‌ ଓ ନାଡାଲଙ୍କର ଖେଳିବାର ସ୍ୱତନ୍ତ୍ର ଶୈଳୀ ରହିଛି। ମୁଁ ସେମାନଙ୍କ ବିରୋଧରେ ଖେଳିବା ବେଳେ ନିଜକୁ ଆଡଜଷ୍ଟ କରିଥାଏ। ମୋ କ୍ୟାରିୟରରେ ସେମାନଙ୍କ ସ୍ଥାନ ସ୍ୱତନ୍ତ୍ର। ସେମାନେ ମୋତେ ଭଲ ଖେଳିବାକୁ ବାଧ୍ୟ କରନ୍ତି। ସେମାନଙ୍କ ପାଇଁ ମୋ ଖେଳର ଉନ୍ନତି ମଧ୍ୟ ହୋଇଛି। ତେଣୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ବହୁତ କଷ୍ଟକର ବୋଲି ଜୋକଭିଚ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, ଫେଡରର ଓ ନାଡାଲ ଭିନ୍ନ ଭିନ୍ନ ଶୈଳୀରେ ଟେନିସ ଖେଳୁଥିବା ଖେଳାଳି। ସେମାନେ କୋର୍ଟ ଭିତରେ ଓ ବାହାରେ ଭିନ୍ନ ଭିନ୍ନ ଆଚରଣ କରନ୍ତି। ମୁଁ ମଧ୍ୟ ସେମାନଙ୍କ ସହ ଭିନ୍ନ ଭିନ୍ନ ଶୈଳୀରେ ଖେଳି ଆଡଜଷ୍ଟ କରିଥାଏ। ସେମାନେ ମୋତେ ଗୋଟିଏ ଭଲ ଖେଳାଳି ହେବାକୁ ପ୍ରେରଣା ଓ ବାଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ସୋମବାର ଜୋକଭିଚ୍ ଏଟିପି ରାଙ୍କିଙ୍ଗରେ ସର୍ବାଧିକ ସପ୍ତାହ ୧ ନଂ ସ୍ଥାନରେ ରହିବାର ରେକର୍ଡ କରିଛନ୍ତି। ଏପରି କି ସେ ଫେଡରରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୨୧ରେ ଅଷ୍ଟ୍ରେଲିଆ ଓପନ ଜିତିଥିବା ସର୍ବିୟାର ଜୋକଭିଚ୍‌ ୩୧୧ ସପ୍ତାହ ହେଲାଣି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି।

ଏହି କୀର୍ତ୍ତିମାନ ସମ୍ପର୍କରେ ସେ କହିଛନ୍ତି, ମୁଁ ଯେତେବେଳେ ଖେଳିବା ଆରମ୍ଭ କଲି ସେତେବେଳେ ବିଶ୍ୱର ସବୁଠାରୁ ଭଲ ଟେନିସ ଖେଳାଳି ହେବାର ସ୍ୱପ୍ନ ଦେଖୁଥିଲି। ପିଲାଟି ବେଳୁ ଦେଖିଥିବା ସ୍ୱପ୍ନ ସାକାର ହୋଇଛି। ଖେଳ ପ୍ରତିଥିବା ନିଷ୍ଠା ଓ ଭଲ ପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।