ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ: ଜାପାନକୁ ହରାଇ ଭାରତ ଚାମ୍ପିଅନ୍

ହିରୋଶିମା: ଗୁରଜିତ୍ ସିଂହଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଟିମ୍ ରବିବାର ଏଠାରେ ଜାପାନକୁ ୩-୧ ଗୋଲରେ ହରାଇ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ ଟାଇଟଲ୍ ଜିତିଛି। ଶନିବାର ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ ହରାଇ ଅଲିମ୍ପିକ୍ କ୍ୱାଲିଫାୟର୍ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ଗୁରଜିତ୍ ସିଂହ ଦୁଇଟି (୪୫ତମ, ୬୦ତମ) ଏବଂ କ୍ୟାପଟେନ୍ ରାନୀ ରାମପଲ୍ (ତୃତୀୟ) ଗୋଟିଏ ଗୋଲ୍ ଦେଇଥିଲେ। ଜାପାନ […]

india

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 06:41 PM IST

ହିରୋଶିମା: ଗୁରଜିତ୍ ସିଂହଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଟିମ୍ ରବିବାର ଏଠାରେ ଜାପାନକୁ ୩-୧ ଗୋଲରେ ହରାଇ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ ଟାଇଟଲ୍ ଜିତିଛି। ଶନିବାର ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ ହରାଇ ଅଲିମ୍ପିକ୍ କ୍ୱାଲିଫାୟର୍ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲା।

ଆଜି ମ୍ୟାଚରେ ଭାରତ ପକ୍ଷରୁ ଗୁରଜିତ୍ ସିଂହ ଦୁଇଟି (୪୫ତମ, ୬୦ତମ) ଏବଂ କ୍ୟାପଟେନ୍ ରାନୀ ରାମପଲ୍ (ତୃତୀୟ) ଗୋଟିଏ ଗୋଲ୍ ଦେଇଥିଲେ। ଜାପାନ ପକ୍ଷରୁ କାନୋନ୍ ମୋରି (୧୧ତମ) ଗୋଟିଏ ଗୋଲ୍ ଦେଇଥିଲେ। ସଫଳ ପ୍ରଦର୍ଶନ ପାଇଁ ରାନୀ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଗୁରଜିତ୍ ଟପ୍ ସ୍କୋରର ଭାବେ ପୁରସ୍କୃତ ହୋଇଛନ୍ତି।

ମ୍ୟାଚର ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା ଏବଂ ତୃତୀୟ ମିନିଟରେ ହିଁ ଟିମକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାର ଫାଇଦା ଉଠାଇଥିଲେ କ୍ୟାପଟେନ୍ ରାନୀ, ଯିଏ ଜାପାନ ଗୋଲକିପର ଆକିଓ ତାନାକାଙ୍କୁ ଚକମା ଦେଇ ଗୋଲ୍ ବଲକୁ ସିଧା ଗୋଲପୋଷ୍ଟ ଭିତରକୁ ମାରିଥିଲେ।

ଏହି ଗୋଲ୍ ସହ ଭାରତ ୧-୦ରେ ଆଗୁଆ ହୋଇଥିଲା। ଏହା ପରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଏହା ପରେ ଜାପାନ ପ୍ରତିଆକ୍ରମଣ କରି ଏକାଦଶ ମିନିଟରେ ଗୋଲ୍ ପରିଶୋଧ କରିଥିଲା। ଜାପାନର କାନୋନ୍ ମୋରି ଏହି ଗୋଲଟି ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଭାରତର ପ୍ରଦର୍ଶନରେ ସ୍ଥିରତା ଦେଖିବାକୁ ମିଳିଥିଲା। ୧୮ତମ ମିନିଟରେ ବନ୍ଦନା କାଟାରିୟା ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ। ଅନ୍ୟପକ୍ଷରେ ଜାପାନ ମଧ୍ୟ ଅଗ୍ରଣୀ ହାସଲ କରିବା ପାଇଁ ଜୋର୍ ଲଗାଇଥିଲା, କିନ୍ତୁ ଏଥିରେ ସେମାନଙ୍କୁ କୌଣସି ସଫଳତା ମିଳିନଥିଲା। ଏଥିସହ ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ବରାବର ରହିଥିଲା।

ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟରୁ ହିଁ ଭାରତ ଆକ୍ରମଣ କରି ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। କିନ୍ତୁ ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। କିନ୍ତୁ ଏହି କ୍ୱାର୍ଟରର ଶେଷ ମିନିଟରେ ଗୁରଜିତ୍ ଚମତ୍କାର ଡ୍ରାଗ୍ ଫ୍ଲିକ୍ ଦ୍ୱାରା ଗୋଲ୍ କରି ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଏହି ଅଗ୍ରଣୀ ସହ ଭାରତ ଚତୁର୍ଥ କ୍ୱାର୍ଟରକୁ ଯାଇଥିଲା।

ଶେଷ କ୍ୱାର୍ଟରରେ ଜାପାନକୁ ବରାବର କରିବା ପାଇଁ ଏକାଧିକ ସୁଯୋଗ ମିଳିଥିଲା, କିନ୍ତୁ ଏଥିରୁ ସେମାନେ ଗୋଟିଏ ବି ଗୋଲ୍ କରିପାରି ନଥିଲେ। ତେବେ ମ୍ୟାଚର ଶେଷ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା, ଯାହାକୁ ଗୁରଜିତ୍ ଗୋଲରେ ପରିଣତ କରିଥିଲେ। ଏଥିସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା।

Related story