ଫାଇନାଲ ପୂର୍ବରୁ ୮ ଦିନ ବିଶ୍ରାମ, କ’ଣ ଦଳର ପ୍ରଦର୍ଶନ ଉପରେ ପକାଇ ପ୍ରଭାବ

ମେଲବର୍ଣ୍ଣ: ଦୀର୍ଘ ୮ଦିନର ବିଶ୍ରାମ ପରେ ଆସନ୍ତାକାଲି ଭାରତୀୟ ଟିମ୍‌ ଟି-୨୦ ମହିଳା ବିଶ୍ୱକପ ଫାଇନାଲ ଖେଳିବାକୁ ମେଲବର୍ଣ୍ଣ ପଡ଼ିଆକୁ ଓହ୍ଲାଇବ। କ’ଣ ଦଳର ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡ଼ିବ କି ପ୍ରଶ୍ନର ଉତ୍ତର ଅଧିନାୟକ ହରମନପ୍ରୀତ କୌର ମ୍ୟାଚ୍‌ ପୂର୍ବରୁ ଦେଇଛନ୍ତି। ସେ କହିଛନ୍ତି, “ଫାଇନାଲ ପୂର୍ବରୁ ଆମକୁ ୮ ଦିନର ବିଶ୍ରାମ ମିଳିଛି। ଏହା ଆମ ପ୍ରସ୍ତୁତି ଉପରେ ପ୍ରଭାବ ପକାଇଛି। ହେଲେ ଦଳ ମେଲବର୍ଣ୍ଣ ଷ୍ଟାଡିମୟରେ ସବୁ କିଛିକୁ ଭୁଲି ଭଲ ପ୍ରଦର୍ଶନ କରିବ।”

ଭାରତ ଗତ ଶନିବାର ଶ୍ରୀଲଙ୍କା ବିପକ୍ଷରେ ତା’ର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିଥିଲା। ଗୁରୁବାର ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ୍‌ ଥିଲେ ହେଁ ବର୍ଷା ଯୋଗୁ ଏହା ଧୋଇ ହୋଇଯାଇଥିଲା। ତେଣୁ ଦଳ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲା। ହରମନପ୍ରୀତ କୌର କହିଛନ୍ତି, “ଆମେ ଅଧିକାଂଶ ସମୟ ଏହି ୮ ଦିନ ଭିତରେ ବାହାରକୁ ବାହାରି ପାରି ନଥିଲୁ ଏବଂ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ମଧ୍ୟ ଖେଳି ପାରି ନଥିଲୁ। ତେବେ ଆମେ ସମସ୍ତେ ଏକାଠି ରହିଥିଲୁ ଓ ଇନଡୋର ଟ୍ରେନିଂ କରୁଥିଲୁ।

କିନ୍ତୁ ଏହା କେବେ ହେଲେ ବଡ଼ ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କ ମନୋବଳ ବୃଦ୍ଧି କରିପାରିବ ନାହିଁ। କାରଣ ଆମେ ଫାଇନାଲ ଗୋଟିଏ ଭିନ୍ନ ସରଫେସରେ ଖେଳିବୁ। ତଥାପି ମୁଁ ଭାବୁଛି ଖେଳାଳିମାନେ ଟିମ୍‌କୁ ଯାହା ଦରକାର ଆସନ୍ତାକାଲିର ମ୍ୟାଚ୍‌ରେ କରିବେ।

ଆମେ ଲମ୍ବା ସମୟ ଧରି ଖେଳି ଆସୁଛୁ। ଆମକୁ ବ୍ରେକ ଦରକାର ଥିଲା। ବ୍ରେକ ମିଳିଥିଲେ ହେଁ ଖେଳାଳିମାନେ ବିଶ୍ରାମ ନେବାକୁ ଚାହୁଁ ନଥିଲେ। ସମସ୍ତେ ଫାଇନାଲ ମ୍ୟାଚ୍‌ ଖେଳିବା ଲକ୍ଷ୍ୟରେ ପରିଶ୍ରମ କରିଛନ୍ତି। ଆସନ୍ତାକାଲି ୯୦ ହଜାର ଦର୍ଶକ ଷ୍ଟାଡିୟମକୁ ଆସିବେ। ତେଣୁ ସେମାନଙ୍କ ଆଗରେ ଭଲ ପ୍ରଦର୍ଶନ କରିବା ଆମର ଲକ୍ଷ୍ୟ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।