ଇଣ୍ଡିଆ ଓପନ ଟୁର୍ଣ୍ଣାମେଣ୍ଟ ଉପରେ କରୋନା ବାଦଲ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ତେବେ ଏଥିରେ ଚାଇନାର ଖେଳାଳିମାନେ ଭାଗ ନେଇପାରିବେ କି ନାହିଁ, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଇନାରେ ବର୍ତ୍ତମାନ ପ୍ରାଣଘାତୀ କରୋନା ଭାଇରସ ବ୍ୟାପିଛି।

ଏଥିରେ ୨୮ଶହରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ତେଣୁ ଚାଇନା ଖେଳାଳିମାନେ ଭାରତ ଗସ୍ତରେ କେମିତି ଆସିବେ, ତା’କୁ ନେଇ ଆଶା ଆଶଙ୍କା ଲାଗି ରହିଛି। ଅନ୍ୟପକ୍ଷରେ ଭାରତ ଗସ୍ତରେ ଆସିବାକୁ ଥିବା ଚାଇନା ଖେଳିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ସରକାରଙ୍କ ପକ୍ଷରୁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ(ବିଏଆଇ)କୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଏଆଇ ସୁପର ୫୦୦ ଟୁର୍ଣ୍ଣାମେଣ୍ଟ ପାଇଁ କୌଣସି ଚାଇନା ଖେଳାଳିଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ଦେବା ପୂର୍ବରୁ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବ। ଏହି ତଥ୍ୟ ମିଳିବା ପରେ ଭାରତ ସରକାର ଚାଇନା ଖେଳାଳିଙ୍କ ପ୍ରବେଶ ଉପରେ ନିଷ୍ପତ୍ତି ନେବେ।

ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏକାଧିକ ପ୍ରଶ୍ନ ବିଏଆଇକୁ ପଠାଯାଇଛି। ଏହି ପ୍ରଶ୍ନ ଗୁଡ଼ିକ ମଧ୍ୟରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଚାଇନାର ଖେଳାଳି ଓ ଅଫିସିଆଲ ଚାଇନାର କେଉଁ ରାଜ୍ୟରୁ ଆସୁଛନ୍ତି? କେତେ ଜଣ ଖେଳାଳି ଓ ଅଫିସିଆଲ ମେଡିକାଲ ଚେକ ଅପ ପାଇଁ ହସ୍ପିଟାଲ ଯାଇଥିଲେ ଓ ସେମାନଙ୍କ ମଧ୍ୟରୁ କେତେ ଜଣ ସୁସ୍ଥତାର ପ୍ରମାଣପତ୍ର ହାସଲ କରିଛନ୍ତି? ସେହିପରି ଚାଇନା ବ୍ୟତୀତ ଅନ୍ୟ କେଉଁସବୁ ଦେଶରୁ ଖେଳାଳି ଭାରତ ଗସ୍ତରେ ଆସିବେ? ଆଦି ରହିଛି।

ଏହି ପ୍ରଶ୍ନ ପାଇବା ପରେ ବିଏଆଇ ନିଜର ଚାଇନା ପ୍ରତିପକ୍ଷଙ୍କୁ ଏହା ପଠାଇଛି। ହେଲେ ଏଯାଏ ଚାଇନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ମାର୍ଚ୍ଚ ୨୪ରୁ ୨୯ ତାରିଖ ଯାଏ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ବିଶ୍ୱର ନଂ ଖେଳାଳି ଚେନ ୟୁଫେଇ, ବିଶ୍ୱର ୮ନଂ ଖେଳାଳି ହେ ବିଙ୍ଗଜିଆଓ ଓ ପୂର୍ବତନ ଅଲ ଇଂଲଣ୍ଡ ଚାମ୍ପିୟନ ଶି ୟୁ କ୍ୟୁଙ୍କ ଭଳି ୬୦ରୁ ଅଧିକ ଚାଇନିଜ୍ ଖେଳାଳି ରହିଛନ୍ତି। ଏହାପୂର୍ବରୁ କରୋନା ପାଇଁ ଚାଇନା ରେସଲରମାନଙ୍କୁ ଏସିଆନ ଚାମ୍ପିୟନଶିପ ପାଇଁ ଭାରତ ସରକାର ଭିସା ଦେଇ ନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।