ହକି ଇଣ୍ଡିଆ ଲିଗ୍-୪: ଆସନ୍ତାକାଲି କଳିଙ୍ଗ ଲାନସର୍ସକୁ ଭେଟିବ ୟୁପି ୱିଜାର୍ଡସ

ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)ର ଚତୁର୍ଥ ସଂସ୍କରଣ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଘରୋଇ ଟିମ୍ କଳିଙ୍ଗ ଲାନସର୍ସ ଓ ଭ୍ରମଣକାରୀ ଦଳ ୟୁପି ୱିଜାଡର୍ସ। କଳିଙ୍ଗ ଲାନସର୍ସ କେବେବି ୱିଜାର୍ଡସ୍କୁ ହରାଇ ନ ଥିବାରୁ ଆସନ୍ତାକାଲି ମ୍ୟାଚ ଜିତି ରେକର୍ଡ ଭାଙ୍ଗିବାକୁ ଜୋରଦାର୍ ଚେଷ୍ଟା କରିବ। ଏଥିପାଇଁ ଦୁଇଦଳ ଜୋରଦାର୍ ଅଭ୍ୟାସ କରିଛନ୍ତି। ଘରୋଇ ଟିମ୍ କଳିଙ୍ଗ ଲାନସର୍ସ,ଏହି ସିଜିନରେ କୋଚ୍ ମାର୍କ ହାର୍ଗରଙ୍କ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲେଇବ। ଆଟାକିଂ ହକି ଓ ଫିଲଡ୍ ଗୋଲ୍ ଉପରେ ଫୋକସ୍ କରିବ ଦଳ। ବିଦେଶୀ ଖେଳାଳି ଟର୍ଣ୍ଣର୍, ଜଲକ୍ସି, କ୍ୟାପଟେନ୍ ମୋରିଜ୍ ଫୁରେଷ୍ଟି ଓ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଧରମବୀର୍, ଗୁରୁଜିନ୍ଦର ଏବଂ ଲଳିତ ଉପାଧ୍ୟାୟ ୟୁପି ୱିଜାର୍ଡସ୍ ବିପକ୍ଷରେ ଆକ୍ରମଣାତ୍ମକ ଭାବେ ଖେଳିବେ। ପ୍ରତିପକ୍ଷ ଆକ୍ରମଣକୁ ରୋକିବେ ଓଡ଼ିଆ ଡିଫେଣ୍ଡର ଅମିତ ରୋହି ଦାସ, ଷ୍ଟାଲିନ ଭିକ୍ଟର ମିଂଜ, ଦୀପସାନ ତିର୍କି ଏବଂ ଆନନ୍ଦ ଲାକ୍ରା। ଗୋଲ୍ ପୋଷ୍ଟ ସମ୍ଭାଳିବେ ବିଶ୍ୱସ୍ତରୀୟ ଗୋଲକିପର୍ ଆଣ୍ଡ୍ରୁ ଚାର୍ଟର ‍ବୋଲି କହିଛନ୍ତି କଳିଙ୍ଗ ଲାନସର୍ସର କୋଚ ମାର୍କ ହାର୍ଗର। କଳିଙ୍ଗ ଲାନସର୍ସକୁ ମାତ ଦେବାକୁ ୟୁପି ୱିଜାର୍ଡସ ବି ପ୍ରସ୍ତୁତ ହୋଇସାରିଛି। କଳିଙ୍ଗ ଲାନସର୍ସ ବିପକ୍ଷରେ ଚକ୍ରବ୍ୟୁହ ରଚିଛନ୍ତି କୋଚ୍ ରୋଜର ଭ୍ୟାନ୍ ଜେଣ୍ଟ। ଡ୍ରାଗ୍ ଫ୍ଲିକର ରଘୁନାଥ, ରମଣଦୀପ ସିଂ, ଆକାଶଦୀପ ସିଂ, ତୋବାଜ ହକ୍, ପିଲେଟ ଗଞ୍ଜ।ଲୋ ଗେମ୍ ଚେଞ୍ଜର ଭାବେ କାମ କରିବେ। ଗୋଲ୍ କିପର୍ ଶ୍ରୀଜେସ ୱିଜାର୍ଡସ୍ ପାଇଁ ହେବେ ପ୍ଲସ୍ ପଏଣ୍ଟ ହେବ ବୋଲି ୟୁପି ୱିଜାଡର୍ସର କୋଚ ରୋଜର ଭ୍ୟାନ୍ ଜେଣ୍ଟ ସୂଚନା ଦେଇଛନ୍ତି।
ଏହି ସିଜିନରୁ ଉଭୟ ଦଳ ନୂଆ କୋଚ୍, ନୂଆ ଖେଳାଳି ଏବଂ ନୂଆ କ୍ୟାପଟେନକୁ ନେଇ ମୁହାଁମୁହିଁ ହେବେ। ଗତ ଦୁଇ ସିଜିନରେ ଲାନସର୍ସ ଏବଂ ୱିଜାର୍ଡସ୍ ମଧ୍ୟରେ ୪ଟି ମୁକାବିଲା ହୋଇଥିବା ବେଳେ ସବୁ ମ୍ୟାଚକୁ ହାତେଇଛି ୟୁପି ୱିଜାଡର୍ସ।