ବେଲଜିୟମ ଚ୍ୟାଲେଞ୍ଜ ପୂର୍ବରୁ ୩୨ ଜଣିଆ ସ୍କ୍ୱାଡ୍‌ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଟିମ୍‌ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ। ଏହାପୂର୍ବରୁ ଆଜି ହକି ଇଣ୍ଡିଆ ଜାତୀୟ କ୍ୟାମ୍ପ ପାଇଁ ୩୨ ଜଣିଆ ଟିମ୍‌ ଘୋଷଣା କରିଛି। ଏହି ୩୨ ଜଣିଆ ସ୍କ୍ୱାଡକୁ ଡ୍ରାଗ ଫ୍ଲିକର ବରୁଣ କୁମାରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସ୍ନାୟୁ ସମସ୍ୟା ଯୋଗୁ ସେ ଦୀର୍ଘ ଦିନ ହେଲା ହକି ପଡ଼ିଆରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟ କ୍ୟାମ୍ପରେ ବରୁଣ ସାମିଲ ହେବେ। ଫେବୃଆରୀ ୮ ଓ ୯ରେ ଭାରତ ଓ ବେଲିଜିୟମ ମଧ୍ୟରେ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳାଯିବ।

ପ୍ରଥମଥର ପାଇଁ ପ୍ରୋ ହକି ଲିଗ ଖେଳୁଥିବା ଭାରତ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନେଦରଲ୍ୟାଣ୍ଡସ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଟିମ୍ ଜବରଦସ୍ତ ବିଜୟ ହାସଲ କରିଥିଲା। ଏବେ ଦଳ ବେଲଜିୟମ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି।

ଏହି ଟିମରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ ଓ ଅମିତ ରୋହିଦାସ ରହିଛନ୍ତି। ଏହି ୩୨ ଜଣିଆ କୋର ସଦସ୍ୟଙ୍କ ମଧ୍ୟରୁ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଚୂଡ଼ାନ୍ତ ତାଲିକା ଘୋଷଣା ହେବ। ଏହି ୩୨ ଜଣିଆ ଟିମ ମୁଖ୍ୟ କୋଚ ଗ୍ରାହାମ ରେଇଦଙ୍କୁ ରିପୋର୍ଟ କରିବେ।

କୋର ଗ୍ରୁପରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିଛି। ଏଥିରେ ପିଆର ଶ୍ରୀଜେଶ, କିଷନ ବାହାଦୂର ପାଠକ, ସୂରଜ କାରକେରା, ହରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂହ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, କୋଠାଜିତ ସିଂହ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା ଓ ବିବେକ ସାରଗତ ପ୍ରସାଦ ରହିଛନ୍ତି।

ଆହତ ସମସ୍ୟାରୁ ମୁକୁଳିବା ପରେ ଗତ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇଥିବା ଅଭିଜ୍ଞ ମିଡଫିଲଡର ଚିଙ୍ଗଲେନସାନ ସିଂହ ମଧ୍ୟ ଏଥର କ୍ରୋର ଗ୍ରୁପରେ ସାମିଲ ହୋଇଛନ୍ତି। ତାଙ୍କ ସହ ୟଙ୍ଗଷ୍ଟର ଦୀଲପ୍ରୀତ ସିଂହ, ରାଜକୁମାର ପାଲ, ନୀଲମ ସଞ୍ଜୀପ ଏକ୍ସେସ ରହିଛନ୍ତି।

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଏସଭି ସୁନୀଲଙ୍କ ସମେତ ଆକାଶଦୀପ ସିଂହ, ରମଣଦୀପ ସିଂହ, ସୀମରନଜିତ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଗୁରସାହିବଜୀତ ସିଂହ, ଶମସେର ସିଂହ, ଜରମନପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ସୁମିତ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।