ରାହୁଲଙ୍କ ସଫଳତା ପଛରେ କିଏ, ବିରାଟଙ୍କ ସହ ଆଉ ଜଣେ କିମ୍ବଦନ୍ତୀ କ୍ରିକେଟର ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି ହୁଅନ୍ତୁ କିମ୍ବା ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ହୁଅନ୍ତୁ, ସେମାନଙ୍କ ପାଖରେ ଥିବା ରାହୁଲ ନାମକ କ୍ରିକେଟର ସର୍ବଦା ଟିମ୍‌ ଇଣ୍ଡିଆକୁ ଯେତେବେଳେ ଯାହା ଦରକାର ସେକଥା କରୁଛନ୍ତି। ଗାଙ୍ଗୁଲିଙ୍କ ଅଧିନାୟିକତ୍ୱ ସମୟରେ ରାହୁଲ ଡ୍ରାଭିଡ କେବଳ ଯେ ଦ୍ରୁତ ବୋଲରଙ୍କୁ ନିଜ ବ୍ୟାଟିଂ ଯାଦୁ ବଳରେ ହତାଶ କରୁଥିଲେ ତା’ନୁହେଁ ବରଂ ଭାରତ ପାଇଁ ଦୀର୍ଘ ସମୟ ୱିକେଟ ବଞ୍ଚାଇ ରଖୁଥିଲେ।

ଏବେ ଟିମ୍‌ ଇଣ୍ଡିଆ ପାଖରେ କେଏଲ ରାହୁଲ ଅଛନ୍ତି। ଏବେ ସେ ନିଜର ବ୍ୟାଟିଂ ଓ ୱିକେଟ କିପିଂ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଟିମ୍‌ ଇଣ୍ଡିଆର ପ୍ରଥମ ପସନ୍ଦ ୱିକେଟ କିପର ରିଷଭ ପନ୍ତ କ୍ରମାଗତ ସୀମିତ ଓଭର କ୍ରିକେଟରେ ବିଫଳ ହେବାରୁ, ରାହୁଲଙ୍କୁ ୱିକେଟ କିପିଂର ସୁଯୋଗ ମିଳିଥିଲା। ସେ କେବଳ ଯେ କିପିଂ କରି ନଥିଲେ ବରଂ ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ ମଧ୍ୟ କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ହିଁ ରାହୁଲଙ୍କୁ ୱିକେଟ କିପିଂ ଦାୟିତ୍ୱ ମିଳିଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ୍‌ରେ ୪୮.୬୬ ହାରରେ ୧୪୬ ରନ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ରହିଥିଲା। ଦ୍ୱିତୀୟ ଦିନିକିଆରେ ରାହୁଲ ୱିକେଟ ପଛରେ ଦୁଇଟି କ୍ୟାଚ୍ ଧରିଥିବା ବେଳେ ଗୋଟିଏ ଷ୍ଟମ୍ପିଂ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ରାହୁଲ ଟିମ୍ ଇଣ୍ଡିଆର ଫୁଲ ଟାଇମ ୱିକେଟ କିପର ଭୂମିକା ତୁଲାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ଟିକିଆ ଟି-୨୦ ସିରିଜ୍‌ରେ ରାହୁଲ ଜବରଦସ୍ତ ବ୍ୟାଟିଂ କରିବା ସହ ୨ଟି ଅର୍ଦ୍ଧଶତକ ସହାୟତାରେ ୨୨୪ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଥିଲା।

ୱିକେଟ ପଛରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଦିନିକିଆରେ ନିଜ ଫର୍ମକୁ ରାହୁଲ ଆଗକୁ ନେଇଥିଲେ ଏବଂ ଭାରତ ପାଇଁ ୫ନଂରେ ବ୍ୟାଟିଂ କରିଥିଲେ। ଦିନିକିଆରେ ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ ରାହୁଲଙ୍କ ନୂଆ ରୂପ ୨.୦କୁ ନେଇ ଚର୍ଚ୍ଚା। ତେବେ ରାହୁଲଙ୍କ ଏହି ୨.୦ ଅବତାର ପଛରେ କିଏ ରହିଛନ୍ତି?

ରାହୁଲଙ୍କୁ ୮ ବର୍ଷ ବୟସରୁ ତାଲିମ ଦେଉଥିବା ସାମୁଏଲ ଜୟାଜ ଏହାର ଖୁଲାସା କରିଛନ୍ତି। ରାହୁଲଙ୍କ ସଫଳତା ପଛରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଏବି ଡିଭିଲିୟର୍ସଙ୍କ ଭୂମିକା ରହିଥିବା ସାମୁଏଲ କହିଛନ୍ତି। ଜୟାଜ କହିଛନ୍ତି, “ ନିଜକୁ କେମିତି ସଫଳ କ୍ରିକେଟର ଭାବେ ଗଢ଼ି ତୋଳିବେ, ସେଥିପାଇଁ ରାହୁଲ ଅନେକ କ୍ରିକେଟରଙ୍କ ସହ କଥା ହୁଅନ୍ତି। ସେ ଅନେକ ସମୟରେ ବିରାଓ ଓ ଡିଭିଲିୟର୍ସଙ୍କ ସହ ମଧ୍ୟ ଆଲୋଚନା କରନ୍ତି।

ବିରାଟ ସର୍ବଦା ତାଙ୍କ ସହ କଥା ହୁଅନ୍ତି ଏବଂ ଭଲ ଖେଳିବାକୁ ମୋଟିଭେଟ କରନ୍ତି। ରାହୁଲଙ୍କ ସଫଳତା ପଛରେ ଅନେକ କ୍ରିକେଟରଙ୍କ ହାତ ରହିଛି। ହେଲେ ମୁଁ ପୂରା କ୍ରେଡିଟ୍‌ ବିରାଟ ଓ ଡିଭିଲିୟର୍ସଙ୍କୁ ଦେବାକୁ ଚାହିଁବି। ଡିଭିଲିୟର୍ସ ତାଙ୍କୁ ଅଧିକ ଭଲ ଭାବେ ବୁଝନ୍ତି। କାରଣ ସେ ମଧ୍ୟ ରାହୁଲଙ୍କ ଭଳି ଜଣେ ୱିକେଟ କିପର ବ୍ୟାଟସମ୍ୟାନ।

ବିରାଟ ତାଙ୍କ ଉପରେ ବିଶ୍ୱାସ ଦେଖାନ୍ତି। ବିରାଟ ଜାଣିଛନ୍ତି ଯେ ରାହୁଲଙ୍କ ପାଖରେ କେତେ ଦକ୍ଷତା ରହିଛି। ଆପଣ ରାହୁଲଙ୍କୁ ଭଲ ଭାବେ ଦେଖିଲେ, ସେ କେତେ ଦକ୍ଷ ତା’ହା ଜଣାପଡ଼ିବ। ବଲ ତାଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସେ ବେଶ ଶାନ୍ତ ରୁହନ୍ତି। ଏହି ଶାନ୍ତ ସ୍ୱଭାବ ହିଁ ତାଙ୍କ ଖେଳରେ ପରିବର୍ତ୍ତନ ଆଣିଛି। ଆମର ଆଶା ଆଗକୁ ଏହା ଜାରି ରହିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।