ଅଷ୍ଟ୍ରେଲିଆର ଏହି ମହାନ୍ ଖେଳାଳିଙ୍କୁ କ୍ୟାନସର୍

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ତଥା ବର୍ତ୍ତମାନର ଅନ୍ୟତମ ଶ୍ରେଷ୍ଠ କମେଣ୍ଟେଟର୍ ଇଆନ୍ ଚାପେଲଙ୍କୁ କ୍ୟାନସର୍ ହୋଇଛି। ନିଜେ ଚାପେଲ୍ ଏହି ସୂଚନା ଦେଇଛନ୍ତି। ୭୫ ବର୍ଷୀୟ ଚାପେଲ୍ କହିଛନ୍ତି, ତାଙ୍କୁ ସ୍କିନ୍ କ୍ୟାନସର୍ ହୋଇଛି ଏବଂ ଗତ ପାଞ୍ଚମାସ ହେବ ତାଙ୍କର ରେଡିଏସନ୍ ଥେରାପି ହେଉଛି।

ଅଷ୍ଟ୍ରେଲିଆ ପକ୍ଷରୁ ୭୫ ଟେଷ୍ଟ ମ୍ୟାଚ୍ ଖେଳିଥିବା ଚାପେଲଙ୍କ କାନ୍ଧ, ବେକ ଏବଂ ଅଣ୍ଡର୍ ଆର୍ମରେ କ୍ୟାନସର୍ ହୋଇଛି। ଗତ ୫ମାସ ହେବ ଚାପେଲଙ୍କ ଚିକିତ୍ସା ଚାଲିଛି ଏବଂ ଭଲ ଖବର ହେଉଛି ଯେ ଥେରାପି ସତ୍ତ୍ୱେ ସେ ନିଜର ସବୁ କାମ କରିପାରୁଛନ୍ତି। ଖବର ମିଳିଛି ଯେ, ଚାପେଲ୍ ଅଗଷ୍ଟରୁ ଆରମ୍ଭ ହେବାକୁଥିବା ଆଶେସ୍ ଟେଷ୍ଟ ସିରିଜରେ ମଧ୍ୟ କମେଣ୍ଟ୍ରି କରିବେ।

ନିଜ କ୍ୟାସନର୍ ସୂଚନା ଦେଇ ଚାପେଲ୍ କହିଛନ୍ତି, ମୁଁ ପ୍ରଥମେ ଏ ସମ୍ବନ୍ଧରେ କାହାକୁ କିଛି କହିନଥିଲି, କାରଣ ରେଡିଓଥେରାପି କିପରି ତାହା ମୁଁ ଜାଣିନଥିଲି। କିନ୍ତୁ ଏବେ ତାହା ଆରମ୍ଭ ହୋଇଛି ଏବଂ ଏହା ସେତେଟା ବି ଖରାପ ନୁହେଁ। ରାତିରେ ସାମାନ୍ୟ କ୍ଲାନ୍ତ ଲାଗୁଛି ଏବଂ ସ୍କିନରେ ଚିଡ଼ଚିଡ଼ା ଲାଗୁଛି। ବାକି ସବୁକିଛି ଠିକ୍ ଅଛି।

ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୋତେ କ୍ୟାନସର୍ ହୋଇଛି, ମୁଁ ସାମାନ୍ୟ ଡରିଯାଇଥିଲି ଏବଂ ଲାଗିଲା ଯେପରି ଜୀବନର ଶେଷ ସମୟ ପାଖେଇ ଆସୁଛି। କିନ୍ତୁ ମୁଁ ମୋ ମା’ଙ୍କୁ ସ୍ମରଣ କରିଥିଲି, ଯିଏ ଅନେକଥର ମୃତ୍ୟୁକୁ ହରାଇଛନ୍ତି। ମୋ ମା’ ମୋତେ କ୍ୟାନସର୍ ସହ ଲଢ଼ିବାକୁ ପ୍ରେରଣା ଦେଇଛନ୍ତି ବୋଲି ଚାପେଲ୍ କହିଛନ୍ତି।