ଆଇସିସି ମାନ୍ୟତା: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ରୋହିତ

rohitଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉଠିଛନ୍ତି ରୋହିତ ଶର୍ମା। ରବିବାର ସେ ଅଷ୍ଟମ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜରେ ସର୍ବାଧିକ ୪୪୧ରନ (୨ଟି ଶତକ) କରିବା ପରେ ସେ ଏହି ସ୍ଥାନକୁ ଉଠିଛନ୍ତି। ସେ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ପୁରସ୍କାର ହାତେଇଥିଲେ ମଧ୍ୟ ଭାରତ ୪-୧ରେ ସିରିଜ୍ ହାରି ଥିଲା। ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଆକର୍ଷଣୀୟ ଶତକ ମାରିଥିବା ରୋହିତ ଶେଷ ମ୍ୟାଚରେ ୯୯ରେ ଆଉଟ୍ ହୋଇଯାଇଥିଲେ।

ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତର ଟେଷ୍ଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଓ ସପ୍ତମ ସ୍ଥାନରେ ରହିଛନ୍ତି ଶିଖର ଧାୱନ। ମାନ୍ୟତାର ୧୩ ତମ ସ୍ଥାନରେ ରହିଛନ୍ତି ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଏମଏସ ଧୋନୀ। ୨୫ ଓ ୨୭ ତମ ସ୍ଥାନରେ ଯଥାକ୍ରମେ ଆଜିଙ୍କ୍ୟ ରାହାଣେ ଓ ସୁରେଶ ରାଇନା ରହିଛନ୍ତି।

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏ.ବି ଡିଭିଲିୟର୍ସ ରହିଥିବା ବେଳେ ହାସିମ୍ ଆମଲା ତୃତୀୟ, ନ୍ୟୁଜିଲାଣ୍ଡର କେ.ଏସ ୱିଲମସନ୍ ଚତୁର୍ଥ, ଶ୍ରୀଲଙ୍କାର ଟି.ଏମ୍. ଦିଲସାନ୍ ଷଷ୍ଠ, ଅଷ୍ଟ୍ରେଲିଆର ଜି.ଜେ ମ୍ୟାକ୍ସୱେଲ ଅଷ୍ଟମ, ନ୍ୟୁଜିଲାଣ୍ଡର ଏମ.ଜେ ଗୁପ୍ତିଲ୍ ଓ ରସ ଟେଲର ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି।