ବିଜୟଧାରାକୁ ଫେରିଲା ପାକିସ୍ତାନ, ଦକ୍ଷିଣ ଆଫ୍ରିକାର ଆଶା ଧୂଳିସାତ୍

ଲର୍ଡ୍ସ: ଭାରତଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ବିଜୟଧାରାକୁ ଫେରିଛି । ରବିବାର ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନ ୪୯ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି । ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ଆଶା ଶେଷ ହୋଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକମାତ୍ର ବିଜୟ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିବା […]

pak

Hemant Lenka
  • Published: Monday, 24 June 2019
  • , Updated: 24 June 2019, 01:00 AM IST

ଲର୍ଡ୍ସ: ଭାରତଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ବିଜୟଧାରାକୁ ଫେରିଛି । ରବିବାର ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନ ୪୯ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି ।

ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ଆଶା ଶେଷ ହୋଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକମାତ୍ର ବିଜୟ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିବା ବେଳେ ୫ଟି ମୁକାବିଲାରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ପାକିସ୍ତାନ ଏହି ବିଜୟ ସହ ଷଷ୍ଠ ସ୍ଥାନକୁ ଉଠିଛି।

ଏହି ମ୍ୟାଚରେ ହାରିସ ସୋହେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସୋହେଲ ସର୍ବାଧିକ ୮୯ (୫୯ ବଲ୍, ୯ ଚୌକା, ୩ ଛକା) ରନ୍ କରିଥିବା ବେଳେ ବାବର ଆଜମ (୬୯) ଅର୍ଦ୍ଧଶତକ ହାସଲ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୯ ରନ୍ କରିବାକୁ ସକ୍ଷମ ହୋଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ସର୍ବାଧିକ ୬୩ ରନ୍ କରିଥିବା ବେଳେ କ୍ୱିଣ୍ଟନ ଡି’କକ୍ ୪୭, ଭାନ୍ ଡର୍ ଡୁସେନ୍ ୩୬ ଓ ଡେଭିଡ୍ ମିଲର୍ ୩୧ ରନ୍ କରିଥିଲେ । ଆଣ୍ଡିଲେ ଫେଲୁକୱାୟୋ ୪୬ (୩୨ ବଲ୍, ୬ ଚୌକା) ରନ୍ କରି ଅପରାଜିତ ଥିଲେ । ପାକିସ୍ତାନ ପକ୍ଷରୁ ୱାହାବ ରିଆଜ ଓ ଶାଦାବ ଖାନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଆମୀର ୨ଟି ଓ ଶାହୀନ୍ ଆଫ୍ରିଦି ଗୋଟିଏ ୱିକେଟ୍ ହାସଲ କରିଥିଲେ ।

ଏହା ପୂର୍ବରୁ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଟସ୍ ଜିତି କୌଣସି ଭୁଲ୍ ନକରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମକୁ ଦୁଇ ଓପ୍ନର ଫକର ଜମାନ ଓ ଇମାମ୍-ଉଲ୍-ହକ୍ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୮୮ ରନର ଭାଗୀଦାରୀ କରିଥିବା ବେଳେ ଫକରଙ୍କୁ ଇମ୍ରାନ୍ ତାହିର୍ ପ୍ୟାଭିଲିୟନ୍ ପଠାଇଥିଲେ । ଫକର ୫୦ ବଲରେ ୬ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ ।

ଅନ୍ୟତମ ଓପ୍ନର ଇମାମ (୪୪)ଙ୍କୁ ମଧ୍ୟ ତାହିର ନିଜର ଶିକାର ବନାଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମହମ୍ମଦ ହଫିଜ୍ ପୁଣିଥରେ ଫେଲ୍ ମାରିଥିଲେ । ସେ ମାତ୍ର ୨୦ ରନ୍ କରି ଆଇଡେନ୍ ମର୍କରାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ତେବେ ବାବର ଓ ସୋହେଲ ଚମତ୍କାର ବ୍ୟାଟିଂ କରି ପାକିସ୍ତାନ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ବାବର ୬୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ଦ୍ରୁତ ରନ୍ କରିବାକୁ ପ୍ରୟାସ କରିଥିଲେ ।

କିନ୍ତୁ ତାଙ୍କୁ ଆଣ୍ଡିଲେ ଫେଲୁକୱାୟୋ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିଲେ । ବାବର ୮୦ ବଲରେ ୭ ଚୌକା ସହ ୬୯ ରନ୍ କରିଥିଲେ । ଏହା ପରେ ସୋହେଲ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ । କିନ୍ତୁ ତାଙ୍କୁ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କଠାରୁ କୌଣସି ସହଯୋଗ ମିଳିପାରି ନଥିଲା, ଯେଉଁକାରଣରୁ ପାକିସ୍ତାନ ୩୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଇମାନ୍ ୱାସିମ୍ ୨୩ ଓ ୱହାବ ରିଆଜ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ସର୍ଫରାଜ (୨) ଓ ଶଦାବ ଖାନ୍ (୧) ଅପରାଜିତ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ ୩ଟି ଓ ତାହିର୍ ୨ଟି ୱିକେଟ୍ ନେଇଥିଲେ ।

Related story