ସେମିରେ ଟିମ୍ ଇଣ୍ଡିଆ, ବାଂଲାଦେଶ ବିଦା

ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ […]

pandya

pandya

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 11:13 PM IST

Sports

Latest News

ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ ୯୨ ବଲରେ୍ ୭ ଚୌକା ଓ ୫ ଛକା ସହ ୧୦୪ ଓ ରାହୁଲ୍ ୭୭ (୯୨ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି।

ଏହି କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲେ ହେଁ, ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଇନଫର୍ମ ସାକିବ୍ ଅଲ୍ ହାସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇନଥିଲେ। ଦୁଇ ଓପ୍ନର୍ ତମିମ୍ ଇକବାଲ୍ (୨୨) ଓ ସୌମ୍ୟ ସରକାର (୩୩) ଭଲ ଖେଳିଥିଲେ ହେଁ, କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନଥିଲେ। ଟିମର ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମ୍ (୨୪)ଙ୍କୁ ଚହଲ୍ ପ୍ୟାଭିଲିୟନ୍ ପଠାଇଥିଲେ।

ସାକିବ୍ ଓ ଲିଟନ୍ ଦାସ (୨୨) ବିପଦ ସାବ୍ୟସ୍ତ ହୋଇଆସୁଥିବା ବେଳେ ଦୁହିଁଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରି ମ୍ୟାଚକୁ ଭାରତ ମୁଠାରେ କରିଥିଲେ । ସାକିବ୍ ୭୪ ବଲରେ ୬ ଚୌକା ସହ ୬୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ଶେଷକ୍ରମରେ ସବିର୍ ରେହମାନ୍ ଓ ମହମ୍ମଦ ସୈଫୁଦ୍ଦିନ ଦ୍ରୁତ ରନ୍ କରି ବାଂଲାଦେଶ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଯଶପ୍ରୀତ ବୁମ୍ରା ଭାଙ୍ଗିଥିଲେ । ଦୁହେଁ ସପ୍ତମ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ିଥିଲେ।

ସବିର୍ ୩୬ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଅଧିନାୟକ ମାଶରଫି ମୋର୍ତାଜା (୮)ଙ୍କୁ ଭୁବନେଶ୍ୱର କୁମାର ପ୍ୟାଭିଲିୟନ୍ ପଠାଇ ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ। ସୈଫୁଦ୍ଦିନ (୫୧) ଅପରାଜିତ ରହି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥିଲେ। ଭାରତ ପକ୍ଷରୁ ବୁମ୍ରା ୪ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ନେଇଥିଲେ।

ଏଜବାଷ୍ଟନରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ ଆରମ୍ଭରୁ ବାଂଲାଦେଶ ଏକ ବଡ଼ ସୁଯୋଗ ହାତଛଡ଼ା କରିଥିଲେ। ଭାରତ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ୯ ରନ୍ କରିଥିବା ବେଳେ ତାଙ୍କର ଏକ ସହଜ କ୍ୟାଚ୍ ତମିମ୍ ଇକବାଲ୍ ଛାଡ଼ିଥିଲେ। ଏହାର ଫାଇଦା ଉଠାଇ ରୋହିତ୍ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଥିଲେ। ଅନ୍ୟତମ ଓପ୍ନର ରାହୁଲ ଆଜି ଧୈର୍ଯ୍ୟର ସହ ଖେଳିଥିଲେ।

ଦୁହେଁ ଓଭରପିଛା ୬ ରନ୍ ଲେଖାଏ ରନ୍ କରି ଭାରତର ସ୍କୋରକୁ ୧୭.୨ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ। ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକକୁ ରୋହିତ୍ ଶତକରେ ପୂରଣ କରିଥିବା ବେଳେ ରାହୁଲ୍ ଏଥିରେ ବିଫଳ ହୋଇଥିଲେ। ରୋହିତ୍ ୯୦ ବଲରେ ନିଜର ୨୬ତମ ଦିନିକିଆ ହାସଲ କରିଥିଲେ। କିନ୍ତୁ ସେ ପୁଣିଥରେ ଶତକ ମାରିବା ପରେ ନିଜ ୱିକେଟ୍ ଦେଇ ବସିଥିଲେ। ରୋହିତଙ୍କୁ ସୌମ୍ୟ ସରକାର ପ୍ୟାଭିଲିୟନ୍ ପଠାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ରାହୁଲଙ୍କ ସହ ମିଶି ୧୮୦ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ। ରୋହିତଙ୍କ ପରେ ରାହୁଲ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ।

ଭାରତର ସ୍କୋର ୧୯୫ ଥିବା ବେଳେ ରାହୁଲଙ୍କୁ ରୁବେଲ ହୁସେନ୍ ଆଉଟ୍ କରିଥିଲେ। କ୍ୟାପଟେନ୍ ବିରାଟ୍ ଓ ରିଷଭ ପନ୍ତ ଦ୍ରୁତ ରନ୍ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବିରାଟ୍ ସେଟ୍ ହୋଇ ଭଲ ଖେଳିଆସୁଥିଲେ, କିନ୍ତୁ ମୁସ୍ତାଫିଜୁରଙ୍କ ଶଟ୍ ପିଚ୍ ବଲକୁ ପରଖି ନପାରି ସେ ବାଉଣ୍ଡ୍ରୀରେ ରୁବେଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବିରାଟ୍ ୨୭ ବଲରେ ୩ ଚୌକା ସହ ୨୬ ରନ୍ କରିଥିଲେ। ଏହି ଓଭରରେ ମୁସ୍ତାଫିଜୁର ଭାରତର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ।

ପନ୍ତ ଦମଦାର ବ୍ୟାଟିଂ କରି ଭାରତର ରନ୍ ବଢ଼ାଇଥିଲେ। ସେ ୪୧ ବଲରେ ୬ ଚୌକା ଓ ୧ ଛକା ସହ ୪୮ ରନ୍ କରି ସାକିବ୍ ଅଲ୍ ହାସନଙ୍କ ବଲରେ ମୋସାଡେକ୍ ହୋସେନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳୁଥିବା ଦିନେଶ କାର୍ତ୍ତିକ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଟିମ୍ ବଡ଼ ସ୍କୋର ଆଶା କରୁଥିଲେ ହେଁ, ସେ ନିଜ ଦକ୍ଷତା ଅନୁଯାୟୀ ବ୍ୟାଟିଂ କରିପାରିନଥିଲେ। ସେ ୩୩ ବଲରେ ୪ ଚୌକା ସହ ୩୫ ରନ୍ କରି ମୁସ୍ତାଫିଜୁରଙ୍କ ଶିକାର ହୋଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର୍ ସର୍ବାଧିକ ୫ଟି, ସାକିବ୍, ରୁବେଲ୍ ଓ ସୌମ୍ୟ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos