ରବିବାରରେ ବିରାଟ ବାହିନୀର ରନ୍ ଭୋଜି, କଙ୍ଗାରୁ ଚିତ୍‌ପଟାଙ୍ଗ୍

ଲଣ୍ଡନ୍: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ସବୁ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି। ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ […]

INDIA WIN

INDIA WIN

Hemant Lenka
  • Published: Sunday, 09 June 2019
  • Updated: 09 June 2019, 11:17 PM IST

Sports

Latest News

ଲଣ୍ଡନ୍: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ସବୁ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି।

ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶିଖର ଧୱନ୍ (୧୧୭)ଙ୍କ ଶତକ ଓ ଅଧିନାୟକ ବିରାଟ୍ (୮୨)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନ୍ କରିଥିଲା। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରିଥିଲା। ଏହି ବିଶାଳ ଟାର୍ଗେଟର ଜବାବରେ ଅଷ୍ଟ୍ରେଲିଆ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରି ପରାସ୍ତ ହୋଇଛି। ଭାରତ ପକ୍ଷରୁ ଧୱନ୍ ୧୦୯ ବଲରେ ୧୬ ଚୌକା ସହ ୧୧୭ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଏହି କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ। ଫିଞ୍ଚ୍ ୩୬ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ ଆଉଟ୍ ହୋଇଥିଲେ। ଏହା ପରେ ୱାର୍ଣ୍ଣରଙ୍କୁ ଷ୍ଟିଭ୍ ସ୍ମିଥ୍ ଭଲ ସହଯୋଗ କରିଥିଲେ। ଦୁହେଁ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ୱାର୍ଣ୍ଣର ଧିମା ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।

ସେ ୮୪ ବଲରେ ୫ ଚୌକା ସହ ୫୬ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ମଧ୍ୟକ୍ରମରେ ସ୍ମିଥ୍ ଓ ଉସମାନ୍ ଖୱାଜା ଦ୍ରୁତ ରନ୍ କରି ଟିମକୁ ବିଜୟ ଅଭିମୁଖେ ନେଇଥିଲେ। କିନ୍ତୁ ଏହି ନିର୍ଣ୍ଣାୟକ ଯୋଡ଼ିକୁ ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ଭାଙ୍ଗିଥିଲେ। ଖୱାଜା ୩୯ ବଲରେ ୪ ଚୌକା ଓ ୧ ଛକା ସହ ୪୨ ରନ୍ କରି ବୁମ୍ରାଙ୍କ ବଲରେ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ପରେ ସ୍ମିଥଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ।

ସ୍ମିଥ୍ ୬୯ (୭୦ ବଲ୍, ୫ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ୍ ଖେଳିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ ବ୍ୟାଟିଂ କରିବାକୁ ଆସିବା ମାତ୍ରକେ ଦ୍ରୁତ ରନ୍ କରିଥିଲେ, କିନ୍ତୁ ତାଙ୍କୁ ଚହଲ ଆଉଟ୍ କରି ଅଷ୍ଟ୍ରେଲିଆ ରନରେ ଅଙ୍କୁଶ ଲଗାଇଥିଲେ। ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରି ଚମତ୍କାର ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ସେ ୩୫ ବଲରେ ୫ ଚୌକା ଓ ୧ ଛକା ସହ ୫୫ ରନ କରି ଅପରାଜିତ ଥିଲେ। ଭାରତର ସଫଳ ବୋଲର ଭାବେ ବୁମ୍ରା ଓ ଭୁବନେଶ୍ୱର ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଦୁଇ ଓପ୍ନର ରୋହିତ୍ ଓ ଧୱନ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ୧୦ ଓଭର ସୁଦ୍ଧା ଭାରତର ସ୍କୋରକୁ ୪୧ ରନରେ ପହଞ୍ଚାଇଥିଲେ। ଏହା ପରେ ଦୁହେଁ ଗିୟର ବଦଳାଇଥିଲେ ଏବଂ ଅଷ୍ଟ୍ରେଲିଆ ବୋଲରଙ୍କ ବିରୋଧରେ ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ଦୁହେଁ ୧୯ତମ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ।

ଏହା ମଧ୍ୟରେ ଧୱନ୍ ୫୩ ବଲରେ ଏବଂ ରୋହିତ୍ ୬୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତଙ୍କୁ ନେଥନ କୁଲ୍ଟର-ନାଇଲ୍ ଆଉଟ୍ କରିଥିଲେ। ରୋହିତ୍ ୭୦ ବଲରେ ୩ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟତମ ଓପ୍ନର ଧୱନଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ ବିରାଟ। ଦୁହେଁ ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଧୱନ୍ ୯୫ ବଲରେ ନିଜର ୧୭ତମ ଶତକ ମାରିଥିଲେ। ଏହା ପରେ ଧୱନ୍ ଦ୍ରୁତ ରନ୍ କରିବା ପ୍ରୟାସରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ବଦଳ ଖେଳାଳି ନେଥନ ଲାୟନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଧୱନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ।

ସେ ବିରାଟଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୮୧ ରନର ଭାଗୀଦାରୀ କରିଥିଲେ। ପାଣ୍ଡ୍ୟା ୨୭ ବଲରେ ୪ ଚୌକା ଓ ୩ ଛକା ସହ ୪୮ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ଧୋନି ମଧ୍ୟ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ବୋଲରଙ୍କୁ ଆକ୍ରମଣ କରିଥିଲେ। ସେ ମାତ୍ର ୧୪ ବଲରେ ୩ ଚୌକା ଓ ୧ ଛକା ସହ ୨୭ ରନ୍ କରି ଆଉଟ୍ ହୋଇଥିଲେ। ଲୋକେଶ ରାହୁଲ ୩ ବଲରେ ୧ ଚୌକା ଓ ୧ ଛକା ସହ ଅପରାଜିତ ୧୧ ରନ୍ କରିଥିଲେ । ଭାରତର ପଞ୍ଚମ ୱିକେଟ୍ ପାଇଁ ବିରାଟ୍ ଆଉଟ୍ ହୋଇଥିଲେ। ସେ ୭୭ ବଲରେ ୪ ଚୌକା ଓ ୨ ଛକା ସହ ୮୨ ରନ୍ କରି ମାର୍କସ ଷ୍ଟୋଇନିସଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋଇନିସ୍ ୨ଟି, କମିନ୍ସ, ଷ୍ଟାର୍କ ଓ କୁଲ୍ଟର-ନାଇଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos